ବସ ଧକ୍କାରେ ବାଇକ ଆରୋହୀ ମୃତ

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି)– ଆଜି ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହାତ ହୋଇଛନ୍ତି । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଉଛନ୍ତି ଆଠଗଡ ଅଶୋକ ନଗରର ବିସ୍ମୟ କୁମାର ନନ୍ଦ ଓ ଆହତ ଜଣକ ହେଉଛନ୍ତି ରୂପେଶ ପ୍ରଧାନ । ଆଜି ସକଳେ ଚକାଡୋଳା ନାମକ ଏକ ଘରୋଇ ବସ ଭୁବନେଶ୍ୱରରୁ ଅନୁଗୁଳୁ ଯାଉଥିଲା । ଅଂଶୁପା ନିକଟରେ ଥିବା ବୁଲାଣି ନିକଟରେ ସାମ୍ନାରୁ ଏକ ପଲସର ବାଇକରେ ଆସୁଥିବା ବିସ୍ମୟ ଓ ରୂପେଶଙ୍କ ସହିତ ବସ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ବିସ୍ମୟ ତଳେ ପଡିଯିବାରୁ ବସର ପଛ ଚକ ତାଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବିସ୍ମୟଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକ ରୂପେଶଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍କୀ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଗଲା । ଅନ୍ୟପଟେ ଘଟଣାସ୍ଥଳରେ ସରଣ୍ଡା ପୋଲିସ ପହଁଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଙ୍କୀ ମେଡିକାଲକୁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ବସକୁ ଅଟକ ରଖିଛି । ତେବେ ଦୁର୍ଘଟଣାକୁ ନେଇ ଉକ୍ତ ଜାଗାରେ ଚାପା ଉତ୍ତେଜନା ଦେଖା ଦେଇଛି ।