ଭୁବନେଶ୍ୱର: ରାଜଧାନୀର ଲୋୟର ପିଏମଜି ଧାରଣା ସ୍ଥଳରେ ଚାଲିଛି ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା । ଏହି ଆନ୍ଦୋଳନ ମଧ୍ୟରେ ଏକ ଭିନ୍ନ ଧରଣର ଧାର୍ମିକ ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର ଦିନ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଅଙ୍ଗନୱାଡ଼ି କର୍ମୀମାନେ ‘ସୁଦଶା ବ୍ରତ’ ପାଳନ କରିବା ସହ ରାଜରାସ୍ତାରେ ମାଣ ବସାଇଛନ୍ତି । ଯାହା ଫଳରେ ଆନ୍ଦୋଳନ ସ୍ଥଳୀ ଶଙ୍ଖ ଧ୍ୱନି ଏବଂ ‘ହୁଳହୁଳି’ ଶବ୍ଦରେ ପ୍ରକମ୍ପିତ ହୋଇଛି ।
ଶହ ଶହ ଅଙ୍ଗନୱାଡ଼ି କର୍ମୀ ‘ଲୋୟର ପିଏମଜି’ ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି ଏବଂ ଗୁରୁବାର ଦିନ ସେମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ନିୟମିତ ସରକାରୀ କର୍ମଚାରୀ ଭାବେ ମାନ୍ୟତା ଏବଂ ମାସିକ ପାରିଶ୍ରମିକରେ ଯଥେଷ୍ଟ ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଗତ ନଭେମ୍ବର ୨୩ ତାରିଖରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା।

ଗୁରୁବାର ଦିନ ପୁରୀ ଓ ନୟାଗଡ଼ ଜିଲ୍ଲାର ଆନ୍ଦୋଳନକାରୀମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିବା ବେଳେ, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର କର୍ମୀମାନେ ପୂର୍ବରୁ ହିଁ ଏଥିରେ ଅଂଶଗ୍ରହଣ କରିବା ପାଇଁ ପହଞ୍ଚି ସାରିଥିଲେ।ଆନ୍ଦୋଳନକାରୀମାନେ ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ମାସିକ ୩୦,୦୦୦ ଟଙ୍କା ଏବଂ ସହାୟିକାମାନଙ୍କ ପାଇଁ ୧୫,୦୦୦ ଟଙ୍କା ପାରିଶ୍ରମିକ ଦାବି କରୁଛନ୍ତି। ସେମାନଙ୍କର ଅନ୍ୟ ଦାବିଗୁଡ଼ିକ ମଧ୍ୟରେ ଗ୍ରାଚ୍ୟୁଇଟି, ପେନସନ୍ ସୁବିଧା ଏବଂ ଅବସର ପରବର୍ତ୍ତୀ ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ ରହିଛି।
ଏହି ଦୀର୍ଘସ୍ଥାୟୀ ଆନ୍ଦୋଳନ ଯୋଗୁଁ ଓଡ଼ିଶାବ୍ୟାପୀ ୭୫,୦୦୦ରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରରେ ସେବା ବ୍ୟାହତ ହୋଇଛି, କାରଣ କର୍ମୀମାନେ ନିଜ କାର୍ଯ୍ୟରୁ ଦୂରେଇ ରହିଛନ୍ତି।ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ସରକାର ସେମାନଙ୍କ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ସେମାନେ ଗାନ୍ଧୀ ମାର୍ଗରେ ନିଜର ଧାରଣା ଜାରି ରଖିବେ।