ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ଅଗ୍ନିକାଣ୍ଡ । ଜଳିପୋଡ଼ି ପାଉଁଶ ହୋଇଗଲା ଜଳଖିଆ ସହ ସଉଦା ଦୋକାନ । ନିମିଷକେ ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଦୋକାନ ଭିତରୁ ଗୋଟିଏ ବି ସାମଗ୍ରୀ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ଫଳରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଦୋକାନ ମାଲିକ ।
ଗତକାଲି ରାତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ ସୋମପୁର ଛକରେ ଥିବା ଶିବ ପ୍ରସାଦ ସାହୁଙ୍କ ଜଳଖିଆ ସହ ସଉଦା ଦୋକାନରେ ହଠାତ୍ ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ସମଗ୍ର ଦୋକାନକୁ ଗ୍ରାସ କରିଥିଲା । ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ, କେହି ଦୋକାନ ନିକଟକୁ ଯିବାକୁ ସାହସ କରିପାରିନଥିଲେ । ଏପରିକି ଦୋକାନ ଭିତରେ ଥିବା ସାମଗ୍ରୀକୁ ମଧ୍ୟ ବାହାର କରିବା ସମ୍ଭବ ହୋଇନଥିଲା । ନିଆଁ ଆୟତ୍ତ ହେବା ବେଳକୁ ସବୁକିଛି ଜଳିପୋଡ଼ି ପାଉଁଶ ହୋଇସାରିଥିଲା ।
ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି । ଫଳରେ ଦୋକାନ ମାଲିକ ଶିବ ପ୍ରସାଦ ସାହୁ ବଡ଼ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଗୋଟିଏ ରାତିର ନିଆଁରେ ଉଜୁଡ଼ିଗଲା ତାଙ୍କ ଜୀବିକାର ଆଧାର ।