ବିନା ଟିକେଟରେ ଏୟାରପୋର୍ଟରେ ଧସେଇ ପଶିଲେ ଯୁବକ; ଆଉ ତା’ପରେ…

ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ବଡ଼ ଅଘଟଣ ଘଟିଛି। ବିନା ଟିକେଟ ଓ ଯାତ୍ରା ପାଇଁ ଆବଶ୍ୟକ ଦସ୍ତାବିଜ ବିନା ଏୟାରପୋର୍ଟରେ ଧସେଇ ପଶିଛନ୍ତି ଜଣେ ଯୁବକ। ସେ ବିଦେଶ ଯିବାକୁ ବିକଳ ହେଉଥିବାରୁ ଏପରି ପଦକ୍ଷେପ ନେଇଛନ୍ତି। ସେ ଏୟାରପୋର୍ଟରେ ଧସେଇ ପଶିଥିଲେ ସେଠାରେ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଧସେଇ ପଶିଥିବା ଯୁବକ ଜଣଙ୍କ ହେଲେ କୁନାଲ। ତାଙ୍କ ଘର ହରିୟାଣାର ସୋନିପତରେ। ସେ ଜଣେ ଆଥଲେଟ। ପଶ୍ଚିମବଙ୍ଗରେ ସେ ତାଲିମ ନିଅନ୍ତି। ବୁଧବାର ଦିନ ପ୍ରାୟ ୩ଟା ବେଳେ କାନ୍ଧରେ ଗୋଟିଏ ବ୍ୟାଗ ପକାଇ ସେ ଏୟାରପୋର୍ଟରେ ପଶିବାକୁ ଉଦ୍ୟମ କରିଥିଲେ।

ଟର୍ମିନାଲ ୩ର ପ୍ରସ୍ଥାନ ଗେଟ ଦେଇ ସେ ଯିବାକୁ ଚାହିଁଥିଲେ ହେଁ ସେଠାରେ ମୁତୟନ ସିଆଇଏସଏଫ ଯବାନମାନେ ତାଙ୍କୁ ଅଟକାଇଥିଲେ। ହେଲେ କୁନାଲ ସେମାନଙ୍କୁ ଧକ୍କା ଦେଇ ବଳପୂର୍ବକ ଟର୍ମିନାଲ ଭିତରେ ପଶି ଯାଇଥିଲେ।

ସେ ଟର୍ମିନାଲରେ ଦୌଡ଼ିବାକୁ ଚେଷ୍ଟା କରିଥିଲେ ହେଁ ଜଣେ ସଶସ୍ତ୍ର ସିଆଇଏସଏଫ ଯବାନ ତାଙ୍କୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ କାବୁ କରି ନେଇଥିଲେ। ଏହାପରେ ପୁଲିସ ଆସି କୁନାଲଙ୍କୁ ସାଙ୍ଗରେ ନେଇ ଯାଇଛି। ଏନେଇ ସିଆଇଏସଏଫ ପକ୍ଷରୁ ଗୋଟିଏ ୨୫ ସେକେଣ୍ଡର ଭିଡିଓ ଏକ୍ସରେ ପୋଷ୍ଟ କରାଯାଇଛି।