ସାମୁଦ୍ରିକ ବାତ୍ୟା ‘ଅକବାନ୍’ର ମୁକାବିଲା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

ସମ୍ଭାବ୍ୟ ପ୍ରବଳ ସାମୁଦ୍ରିକ ବାତ୍ୟା ‘ଅକବାନ୍’କୁ ଦୃଷ୍ଟିରେ ରଖି ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଝଡ଼ ପବନ, ସମୁଦ୍ରରେ ଉଚ୍ଚ ଜୁଆର ଏବଂ ବିଭିନ୍ନ ଉପକୂଳବର୍ତ୍ତୀ ଓ ସଂଲଗ୍ନ ଅଞ୍ଚଳରେ ବନ୍ୟା ତଥା ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଓଡ଼ିଶା ପୋଲିସ ପକ୍ଷରୁ କେନ୍ଦ୍ରାଞ୍ଚଳ ଅଧୀନସ୍ଥ ସମସ୍ତ ୭ଟି ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ସତର୍କତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ବିଶେଷକରି ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ରେଡ୍ ଜୋନ୍‌ରେ ରଖାଯାଇଥିବାରୁ ଏହି ତିନୋଟି ଜିଲ୍ଲାରେ ସ୍ୱତନ୍ତ୍ର ସତର୍କତା, ନିରନ୍ତର ନିରୀକ୍ଷଣ ଓ ତ୍ୱରିତ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଉଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି), ଓଡ଼ିଶାଙ୍କ ସାମଗ୍ରିକ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ଆଇଜି, କେନ୍ଦ୍ରାଞ୍ଚଳ, କଟକ ଡଃ ସତ୍ୟଜିତ ନାୟକ ସମଗ୍ର କେନ୍ଦ୍ରାଞ୍ଚଳର ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ଜରୁରୀକାଳୀନ ପରିଚାଳନା ବ୍ୟବସ୍ଥାର ନିୟମିତ ସମୀକ୍ଷା କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘ମିଶନ ଜିରୋ କାଜୁଆଲିଟି’ ବା ଶୂନ୍ୟ ଜୀବନହାନି ଲକ୍ଷ୍ୟକୁ ସଫଳ କରିବା ପାଇଁ ସମସ୍ତ ଜିଲ୍ଲା ପୋଲିସକୁ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିବା ସହିତ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC), ଓଡ଼ିଶାଙ୍କ ପକ୍ଷରୁ ଜାରି ସମସ୍ତ ମାନକ କାର୍ଯ୍ୟପଦ୍ଧତି (SOP) ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଇଜି, କେନ୍ଦ୍ରାଞ୍ଚଳ ସମଗ୍ର କେନ୍ଦ୍ରାଞ୍ଚଳ ଅଧୀନସ୍ଥ କଟକ ଗ୍ରାମାଞ୍ଚଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଆଦି ୭ଟି ଜିଲ୍ଲାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସମ୍ପୃକ୍ତ ଜିଲ୍ଲାର ସମସ୍ତ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କୁ ଜିଲ୍ଲାପାଳ, ଓଡ୍ରାଫ୍, ଅଗ୍ନିଶମ ସେବା, ଓସ୍‌ଡମା, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ସଂସ୍ଥା ସହ ଘନିଷ୍ଠ ସମନ୍ୱୟ ରକ୍ଷା କରି ସମସ୍ତ ପ୍ରକାର ପ୍ରତିଷେଧମୂଳକ ଓ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳ, ତଳିଆ ଅଞ୍ଚଳ, ନଦୀକୂଳ ଓ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ସ୍ୱତନ୍ତ୍ର ଆକସ୍ମିକ ପରିସ୍ଥିତି ମୁକାବିଲା ବ୍ୟବସ୍ଥା କରାଯାଇଛି। ବିଶେଷକରି ବୟସ୍କ ବ୍ୟକ୍ତି, ଶିଶୁ, ମହିଳା, ଗର୍ଭବତୀ ମହିଳା, ଦିବ୍ୟାଙ୍ଗ, ଅସୁସ୍ଥ ବ୍ୟକ୍ତି ଓ ଅନ୍ୟାନ୍ୟ ଅସହାୟ ବର୍ଗଙ୍କ ସୁରକ୍ଷା ଓ ସ୍ଥାନାନ୍ତରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଜାରି ହେବା ପରେ କୌଣସି ବ୍ୟକ୍ତି ଯେପରି ବିପଦସଙ୍କୁଳ ଅଞ୍ଚଳରେ ରହି ନଯାଆନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।

ଜଳବନ୍ଦୀ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର, ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ରାସ୍ତାରୁ ଉପୁଡ଼ି ପଡ଼ିଥିବା ଗଛ ଓ ଅନ୍ୟାନ୍ୟ ଅବରୋଧ ହଟାଇବା ଏବଂ ବାତ୍ୟାଜନିତ ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲା ପୋଲିସ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖାଯାଇଛି। ସମ୍ବେଦନଶୀଳ ଅଞ୍ଚଳର ସମସ୍ତ ଥାନାକୁ ପର୍ଯ୍ୟାପ୍ତ ପୋଲିସ ବଳ, ଗାଡ଼ି, ଯୋଗାଯୋଗ ଉପକରଣ, ଜରୁରୀ ଆଲୋକ ବ୍ୟବସ୍ଥା ଓ ଆବଶ୍ୟକୀୟ ଉଦ୍ଧାର ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। କେନ୍ଦ୍ରାଞ୍ଚଳର ସମସ୍ତ ଜିଲ୍ଲା ପୋଲିସ ନିୟନ୍ତ୍ରଣ କକ୍ଷ ଓ ଥାନାଗୁଡ଼ିକୁ ୨୪ ଘଣ୍ଟିଆ ସତର୍କତାରେ ରଖାଯାଇଛି। ଜରୁରୀକାଳୀନ ଫୋନ୍ କଲ୍, ଜନସାଧାରଣଙ୍କ ସହାୟତା ନିବେଦନ ଓ ବିପଦ ସମ୍ପର୍କିତ ସୂଚନା ଉପରେ ନିରନ୍ତର ନଜର ରଖାଯାଉଛି। ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସ୍ୱତନ୍ତ୍ର ପ୍ରତିକ୍ରିୟା ଦଳକୁ ପ୍ରସ୍ତୁତ ରଖାଯାଇଛି। ସମସ୍ତ ଏସ୍‌ପିଙ୍କୁ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ପରିସ୍ଥିତିର ନିରନ୍ତର ଅନୁଧ୍ୟାନ, ଥାନା ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗ, ପାଣିପାଗ ସତର୍କ ସୂଚନାର ତୁରନ୍ତ ପ୍ରଚାର ଏବଂ ଜୀବନହାନି, ଆହତ, ସମ୍ପତ୍ତି କ୍ଷୟକ୍ଷତି, ରାସ୍ତା ଅବରୋଧ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କିତ ସୂଚନା ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ସହାୟତା ପାଇଁ ଜନସାଧାରଣ ନିକଟସ୍ଥ ଥାନା କିମ୍ବା ଜିଲ୍ଲା ପୋଲିସ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିବା ସହ ୧୧୨ ନମ୍ବରକୁ କଲ୍ କରିପାରିବେ।

 

ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ରାସ୍ତା ଯୋଗାଯୋଗ ପୁନଃସ୍ଥାପନ, ଆହତଙ୍କୁ ତୁରନ୍ତ ଚିକିତ୍ସାଳୟ ପହଞ୍ଚାଇବା, ରିଲିଫ୍ ବଣ୍ଟନ କେନ୍ଦ୍ର ଓ ବାତ୍ୟା ଆଶ୍ରୟସ୍ଥଳୀର ସୁରକ୍ଷା ଏବଂ ବିଦ୍ୟୁତ୍, ପାନୀୟ ଜଳ ଓ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟରେ ପୋଲିସ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ। ଏଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲା ପ୍ରଶାସନ, ଓଡ୍ରାଫ୍, ଅଗ୍ନିଶମ ସେବା, ଓସ୍‌ଡମା, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ, ଜଳସମ୍ପଦ ବିଭାଗ, ସ୍ଥାନୀୟ ସଂସ୍ଥା ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହ ଘନିଷ୍ଠ ସମନ୍ୱୟ ରଖାଯାଉଛି। ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତରଣ, ଜରୁରୀ ଘଟଣା ଓ କ୍ଷୟକ୍ଷତି ସମ୍ପର୍କିତ ସମସ୍ତ ତଥ୍ୟର ସଠିକ୍ ରେକର୍ଡ ରଖିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ସୁରକ୍ଷା ସମ୍ପର୍କିତ ଅନୁମତି ମିଳିବା ପରେ ହିଁ ସ୍ଥାନାନ୍ତରିତ ଲୋକମାନଙ୍କୁ ନିଜ ଘରକୁ ଫେରିବାକୁ ଅନୁମତି ଦିଆଯିବ। ପ୍ରତ୍ୟେକ ଜୀବନର ସୁରକ୍ଷା ଓ ଜନସାଧାରଣଙ୍କ ନିରାପତ୍ତା ନିଶ୍ଚିତ କରିବା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିବଦ୍ଧ।