ମନ୍ତ୍ରୀ ଅର୍ଜୁନଙ୍କ ଠାରୁ ଅଲଗା ହେଲେ ପତ୍ନୀ ଡେଜି ମାର୍ଟିନ

ଦୀର୍ଘ ୧୪ ବର୍ଷର ସଂପର୍କରେ ଫାଟ । ଶେଷରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁର ମନ୍ତ୍ରୀ ଆଧବ ଅର୍ଜୁନ ଓ ପତ୍ନୀ ଡେଜି ମାର୍ଟିନ। ଡେଜି ଆଜି ନିଜେ ଅର୍ଜୁନଙ୍କ ଠାରୁ ଅଲଗା ହେବା ସମ୍ପର୍କରେ ଘୋଷଣା କରିଛନ୍ତି। ତେବେ ଅର୍ଜୁନ ଏ ସମ୍ପର୍କରେ ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ରଖି ନାହାନ୍ତି।

ଇନଷ୍ଟାଗ୍ରାମରେ ଗୋଟିଏ ବିବୃତି ଜାରି କରି ଡେଜି କହିଛନ୍ତି ଯେ “ପରସ୍ପରର ଜୀବନରେ ୧୪ ବର୍ଷ ଧରି ଯୋଡ଼ି ହୋଇ ରହିବା ପରେ ଆଜି ଆଧବ ଅର୍ଜୁନ ଓ ମୁଁ ପରସ୍ପର ସହମତିରେ ପରସ୍ପର ଠାରୁ ଅଲଗା ହେବାକୁ ଏବଂ ନିଜ ନିଜ ରାସ୍ତା ଆପଣାଇବାକୁ ନିଷ୍ପତ୍ତି ନେଇଛୁ। ଏହା ଭଲ ପାଇବା, ବୁଝାମଣା ଓ ପରିବର୍ତ୍ତନରେ ଭରପୂର ଗୋଟଏ ଯାତ୍ରା ଥିଲା, ଯେଉଁଥିରେ ଆମେ ବନ୍ଧୁ, ଜୀବନ ସାଥୀ ଓ ମା-ବାପା ରୂପରେ ଜୀବନର ବିଭିନ୍ନ ଅଧ୍ୟାୟକୁ ସାଥୀ ହୋଇ ପାର କରିଛୁ। ଅଲଗା ହେବା ଦୁହିଁଙ୍କ ପାଇଁ ଗୋଟିଏ ନୂଆ ଅଧ୍ୟାୟ। କିନ୍ତୁ ମିଳିତ ଭାବେ ଆମ ପିଲାମାନଙ୍କ ଲାଳପାଳନ ଓ ଖୁସିକୁ ନିଶ୍ଚିତ କରିବାର ପ୍ରତିବଦ୍ଧତା ଆମ ପାଇଁ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିବ।”

ଡେଜିଙ୍କ କହିବା କଥା ଯେ ସେ ଅର୍ଜୁନଙ୍କୁ ବହୁତ ସମ୍ମାନ କରନ୍ତି ଓ ତାଙ୍କର ଉତ୍ତମ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଛନ୍ତି। ଏଥିସହ ଲୋକଙ୍କୁ ଏହି ବିଚ୍ଛେଦ ସମୟରେ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଜଣାଇବାକୁ ଅନୁରୋଧ କରିଛନ୍ତି।