ସୁନ୍ଦରଗଡ଼ ଜିଲ୍ଲାରେ ପାତୁ ମୁଣ୍ଡାଙ୍କୁ ଆକ୍ରମଣ ଅଭିଯୋଗ ଘଟଣାକୁ ନେଇ ତତ୍ପର ହୋଇଛି ବିଜୁ ଜନତା ଦଳ। ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଏକ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିବ। କୋଇଡ଼ା ବ୍ଲକ୍ର କ. ବଲାଙ୍ଗ ଥାନା ଅନ୍ତର୍ଗତ ବି.ଝାରବେଡା ଗ୍ରାମକୁ ଯାଇ ପ୍ରତିନିଧି ଦଳ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବ।
ଅଭିଯୋଗ ଅନୁଯାୟୀ, ବଜରଙ୍ଗ ଦଳର କିଛି ସଦସ୍ୟ ଗ୍ରାମର ପାତୁ ମୁଣ୍ଡାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଏହି ଘଟଣାର ପ୍ରକୃତ ତଥ୍ୟ ଜାଣିବା ସହ ପୀଡ଼ିତ ପରିବାର ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ଲକ୍ଷ୍ୟରେ ବିଜେଡିର ଏହି ପ୍ରତିନିଧି ମଣ୍ଡଳୀ ଗସ୍ତ କରୁଛି।
ଏହି ୭ ଜଣିଆ ଟିମ୍ରେ ସୁଦାମ ମାରାଣ୍ଡି, ନିରଞ୍ଜନ ବିଶି, ସାରଦା ନାୟକ, ଯୋଗେଶ ସିଂ, ରୋହିତ ଜୋସେଫ ତୀର୍କି, ଡା. ପ୍ରିୟମ୍ବଦା ମାଝୀ ଓ ପ୍ରଦ୍ୟୁମ୍ନ ତ୍ରିପାଠୀ ସାମିଲ ଅଛନ୍ତି। ଏହି ଗସ୍ତ ପରେ ପ୍ରତିନିଧି ମଣ୍ଡଳୀ ନବୀନ ପଟ୍ଟନାୟକଙ୍କୁ ଘଟଣା ସମ୍ପର୍କରେ ରିପୋର୍ଟ ଦେବା ସମ୍ଭାବନା ରହିଛି।