ଅର୍ଜୁନଙ୍କ ଶତକ ଫିକା, ହମଜାଙ୍କ ଅପରାଜିତ ଶତକରେ ପାକିସ୍ତାନର ବାଜିମାତ୍

ଭାରତ–ପାକିସ୍ତାନ ମୁକାବିଲାରେ ପୁଣି ଦେଖିବାକୁ ମିଳିଲା ରୋମାଞ୍ଚକ ଲଢ଼େଇ। ଅଣ୍ଡର–୧୯ ଏସିଆ କପ୍‌ର ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଭାରତକୁ ୩ ୱିକେଟ୍‌ରେ ପରାସ୍ତ କରିଛି ପାକିସ୍ତାନ। ଭାରତୀୟ ବ୍ୟାଟର ଅର୍ଜୁନ ରାଜପୁତଙ୍କ ଶତକ ଦଳକୁ ଲଢ଼ୁଆ ସ୍କୋରରେ ପହଞ୍ଚାଇଥିଲା। ହେଲେ ପାକିସ୍ତାନର ହମଜା ଜହୁରଙ୍କ ଅପରାଜିତ ଶତକ ଆଗରେ ଫିକା ପଡ଼ିଗଲା ଅର୍ଜୁନଙ୍କ ଇନିଂସ୍‌। ୪୮.୧ ଓଭରରେ ୭ ୱିକେଟ୍‌ ହରାଇ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିନେଲା ପାକିସ୍ତାନ।

ଓମାନର ଅଲ୍‌ ଆମେରାତ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିଲା ଏହି ମ୍ୟାଚ୍‌। ଟସ୍‌ ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶାଜନକ ଥିଲା। ମାତ୍ର ୪୨ ରନ୍‌ ମଧ୍ୟରେ ୪ଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ଦଳ। ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀ ଖାତା ଖୋଲିପାରିନଥିବା ବେଳେ ଆର୍ଯ୍ୟବୀର ସେହୱାଗ ୨୨, ଭିକେ ବିନୀତ ୮ ଏବଂ ଯଶବର୍ଦ୍ଧନ ଚୌହାନ ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିଲେ।

ଏଭଳି ସ୍ଥିତିରେ ଭାରତୀୟ ଇନିଂସ୍‌ର ମଙ୍ଗ ଧରିଥିଲେ ଅର୍ଜୁନ ରାଜପୁତ। ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୮୫ଟି ବଲ୍‌ରୁ ୧୦୭ ରନ୍‌ର ଶତକୀୟ ଇନିଂସ୍‌ ଖେଳିଥିଲେ ସେ। ଏଥିରେ ୧୧ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ଅନ୍ୱୟ ଦ୍ରାବିଡଙ୍କ ସହ ପଞ୍ଚମ ୱିକେଟ୍‌ରେ ୪୪ ରନ୍‌ ଏବଂ ମନାଲ ଚୌହାନଙ୍କ ସହ ଷଷ୍ଠ ୱିକେଟ୍‌ରେ ୬୪ ରନ୍‌ର ଭାଗୀଦାରି କରି ଦଳକୁ ସମ୍ଭାଳିଥିଲେ। ତେବେ ଅର୍ଜୁନଙ୍କ ୱିକେଟ୍‌ ପତନ ପରେ ଭାରତୀୟ ଇନିଂସ୍‌ ଅଧିକ ସମୟ ତିଷ୍ଠି ପାରିନଥିଲା। ଫଳରେ ଭାରତ ୪୬.୩ ଓଭରରେ ୨୦୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା।

୨୦୯ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ ମଧ୍ୟ ଭଲ ନଥିଲା। ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ମାତ୍ର ୧୪.୪ ଓଭରରେ ୬୧ ରନ୍‌ ମଧ୍ୟରେ ୫ଟି ୱିକେଟ୍‌ ହରାଇଥିଲା ପାକିସ୍ତାନ। ଏହି ସମୟରେ ଭାରତର ବିଜୟ ପ୍ରାୟ ନିଶ୍ଚିତ ମନେ ହେଉଥିଲା। କିନ୍ତୁ ହମଜା ଜହୁର ଭାରତୀୟ ବୋଲରଙ୍କ ସବୁ ଆଶାରେ ପାଣି ପକାଇ ଦେଇଥିଲେ।

ହମଜା ଓ ହସନୈନ ଆବାସଙ୍କ ମଧ୍ୟରେ ଷଷ୍ଠ ୱିକେଟ୍‌ରେ ୧୦୭ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି ହୋଇଥିଲା। ହସନୈନ ୩୮ ରନ୍‌ କରି ଆଉଟ୍‌ ହୋଇଥିଲେ ମଧ୍ୟ ହମଜା ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ। ସେ ୧୦୮ ବଲ୍‌ରୁ ୧୦ଟି ଚୌକା ଓ ୩ଟି ଛକା ସହ ୧୦୦ ରନ୍‌ କରି ଅପରାଜିତ ରହିଥିଲେ। ଫଳରେ ୪୮.୧ ଓଭରରେ ୭ ୱିକେଟ୍‌ ହରାଇ ପାକିସ୍ତାନ ବିଜୟ ହାସଲ କରିଥିଲା।

ଭାରତ ପକ୍ଷରୁ ମନାଲ ଚୌହାନ ୩୨ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିବା ବେଳେ ମୋହିତ ଉଲ୍‌ଭା ୨ଟି ୱିକେଟ୍‌ ହାସଲ କରିଥିଲେ। କିନ୍ତୁ ହମଜାଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ଭାରତୀୟ ବୋଲରଙ୍କ ସବୁ ପ୍ରୟାସକୁ ବିଫଳ କରିଦେଇଥିଲା।

ଏହି ପରାଜୟ ସତ୍ତ୍ୱେ ଗ୍ରୁପ୍‌-ଏ ପଏଣ୍ଟ ଟେବୁଲ୍‌ରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମ ମ୍ୟାଚ୍‌ରେ ନେପାଳକୁ ହରାଇଥିବା ଭାରତ ଦୁଇଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ସହ ଏହି ସ୍ଥାନରେ ରହିଛି। ଅନ୍ୟପଟେ ଦୁଇଟି ଯାକ ମ୍ୟାଚ୍‌ ଜିତି ପାକିସ୍ତାନ ଟେବୁଲ୍‌ର ଶୀର୍ଷରେ ରହିଛି। ଭାରତର ପରବର୍ତ୍ତୀ ମ୍ୟାଚ୍‌ ୟୁଏଇ ସହ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜୟୀ ହେଲେ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିବ।