ରେକର୍ଡ ଭାଙ୍ଗିବା ଯେମିତି ତାଙ୍କର ଅଭ୍ୟାସ ପାଲଟିଯାଇଛି। ବ୍ୟାଟ୍ ଧରିଲେ ଛକା ବର୍ଷା କରୁଥିବା ହିଟ୍ମ୍ୟାନ୍ ରୋହିତ ଶର୍ମା ପୁଣି ରଚିଛନ୍ତି ଇତିହାସ। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମାତ୍ର ଦୁଇଟି ଛକା ମାରି ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର୍ ଶାହିଦ ଆଫ୍ରିଦିଙ୍କ ଦୀର୍ଘଦିନର ରେକର୍ଡକୁ ଭାଙ୍ଗିଛନ୍ତି ରୋହିତ।

ଏହି ମ୍ୟାଚରେ ୨୮ଟି ବଲରୁ ୨୩ ରନ୍ କରିଥିବା ରୋହିତ ଦୁଇଟି ଛକା ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଛକା ସଂଖ୍ୟାକୁ ୫୧ରେ ପହଞ୍ଚାଇଛନ୍ତି । ଏଥିସହ ଏହି ଦଳ ବିପକ୍ଷରେ ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଶାହିଦ ଆଫ୍ରିଦିଙ୍କ ନାମରେ ଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ୩୫ଟି ଇନିଂସରୁ ୫୦ଟି ଛକା ମାରିଥିଲେ ଆଫ୍ରିଦି । ହେଲେ ରୋହିତ ମାତ୍ର ୩୪ଟି ଇନିଂସରେ ୫୧ଟି ଛକା ମାରି ତାଙ୍କୁ ପଛରେ ପକାଇଛନ୍ତି ।

ମ୍ୟାଚର ସପ୍ତମ ଓଭରରେ କାଇଲ୍ ଜାମିସନଙ୍କ ବଲରେ ପ୍ରଥମ ଛକା ମାରିଥିଲେ ରୋହିତ । ଏହାପରେ ନବମ ଓଭରରେ ସେହି ବୋଲରଙ୍କୁ ଆଉ ଏକ ଛକା ମାରି ନିଜ ନାମରେ ଯୋଡ଼ିଥିଲେ ଐତିହାସିକ ରେକର୍ଡ । ଏହି ତାଲିକାରେ ୫୦ଟି ଛକା ସହ ଶାହିଦ ଆଫ୍ରିଦି ଦ୍ୱିତୀୟ ଏବଂ ୪୫ଟି ଛକା ସହ କ୍ରିସ୍ ଗେଲ୍ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ୪୧ଟି ଛକା ସହ ସନଥ ଜୟସୂରିୟା ଚତୁର୍ଥ ସ୍ଥାନରେ ଅଛନ୍ତି ।

ତେବେ ସିରିଜର ପ୍ରଥମ ମ୍ୟାଚରେ ଶୂନ୍ୟରେ ଆଉଟ୍ ହୋଇଥିବା ରୋହିତ ଦ୍ୱିତୀୟ ମ୍ୟାଚରେ ଦମ୍ଦାର ପ୍ରତ୍ୟାବର୍ତ୍ତନ କରିବା ସହ ନିଜ ବ୍ୟାଟ୍ରେ ଲେଖିଛନ୍ତି ନୂଆ ଇତିହାସ । ତେବେ ଏହାହିଁ ପ୍ରମାଣିତ କରେ କି, କାହିଁକି ରୋହିତଙ୍କୁ କ୍ରିକେଟ୍ ଜଗତର ହିଟ୍ମ୍ୟାନ୍ କୁହାଯାଏ ।
