ବନ୍ୟାରେ ବେହାଲ ଗଞ୍ଜାମ। ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ସମାଜସେବୀ ଡଃ କାବ୍ୟା ପ୍ରିୟା ଧଳ। ନିଜସ୍ୱ ଉଦ୍ୟମରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେ ୫,୫୦୦ରୁ ଊର୍ଦ୍ଧ୍ୱ ଖାଦ୍ୟ ପ୍ୟାକେଟ୍ ସହ ବିଭିନ୍ନ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି। ଆସିକା ଓ ପୁରୁଷୋତ୍ତମପୁର ସମେତ ଅନ୍ୟ ପ୍ରଭାବିତ ଅଞ୍ଚଳରେ ଏହି ସହାୟତା ପହଞ୍ଚାଯାଇଛି।

ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ଅନେକ ଗ୍ରାମାଞ୍ଚଳ ଜଳମଗ୍ନ ହୋଇଛି। ଏଥିଯୋଗୁଁ ଲୋକଙ୍କ ଘରଦ୍ୱାର, ଚାଷଜମି ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପଡ଼ିଛି। ବିଶେଷକରି ଗରିବ, ଦିନମଜୁରିଆ, ଚାଷୀ ଓ ଆର୍ଥିକ ଅନଗ୍ରସର ପରିବାର ଖାଦ୍ୟ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଡ଼ କରିବାରେ ସମସ୍ୟା ଭୋଗୁଛନ୍ତି।
ଏଭଳି ଦୁର୍ଦ୍ଦିନରେ ବିପନ୍ନ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇବା ଲକ୍ଷ୍ୟରେ ଡଃ କାବ୍ୟା ପ୍ରିୟା ଧଳଙ୍କ ପକ୍ଷରୁ ରିଲିଫ୍ ବଣ୍ଟନ କରାଯାଇଛି। ଖାଦ୍ୟ ପ୍ୟାକେଟ୍ ସହ ଚୁଡ଼ା, ଚିନି, ଛତୁଆ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଭାବିତ ପରିବାରଙ୍କୁ ପ୍ରଦାନ କରାଯାଇଛି। ବିପଦ ସମୟରେ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ କିଛି ମାତ୍ରାରେ ଲାଘବ କରିବା ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ।

ଏହି ଅବସରରେ ଡଃ କାବ୍ୟା ପ୍ରିୟା ଧଳ କହିଛନ୍ତି, ଗଞ୍ଜାମର ବନ୍ୟା ପରିସ୍ଥିତି ଅତ୍ୟନ୍ତ ଦୁଃଖଦ। ଅନେକ ପରିବାର ନିଜର ଘର, ଜୀବିକା ଓ ଦୈନନ୍ଦିନ ଜୀବନକୁ ନେଇ ସଂଘର୍ଷ କରୁଛନ୍ତି। ଏଭଳି ସମୟରେ ସେମାନଙ୍କ ପାଖରେ ଛିଡ଼ା ହେବା ଆମ ସମସ୍ତଙ୍କର ମାନବିକ ଦାୟିତ୍ୱ। ଆମର ଏହି ପ୍ରୟାସ ଛୋଟ ହୋଇପାରେ, କିନ୍ତୁ ଆବଶ୍ୟକ ସମୟରେ ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବା ହିଁ ପ୍ରକୃତ ମାନବିକତା।

ସେ ଆହୁରି କହିଛନ୍ତି, ବନ୍ୟା ପରବର୍ତ୍ତୀ ସମୟରେ କେବଳ ତୁରନ୍ତ ରିଲିଫ୍ ଯୋଗାଣ ନୁହେଁ, ବରଂ ପ୍ରଭାବିତ ପରିବାରଙ୍କ ପୁନର୍ବାସ, ଚାଷଜମିର କ୍ଷତି ଭରଣା ଏବଂ ଜୀବିକାର ପୁନରୁଦ୍ଧାର ଉପରେ ମଧ୍ୟ ଗୁରୁତ୍ୱ ଦେବା ଜରୁରୀ। ଏଥିପାଇଁ ସମାଜର ସମସ୍ତ ସାମର୍ଥ୍ୟବାନ ବ୍ୟକ୍ତି ଓ ସଂଗଠନ ଗଞ୍ଜାମବାସୀଙ୍କ ସହାୟତା ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।
ବାସ୍ତବରେ ବିପର୍ଯ୍ୟୟ ସମୟରେ ମାନବିକତାର ପରିଚୟ ଦେବା ହିଁ ସବୁଠାରୁ ବଡ଼ କଥା। ବନ୍ୟା ବିପନ୍ନଙ୍କ ଦୁଃଖ ସମୟରେ ଡଃ କାବ୍ୟା ପ୍ରିୟା ଧଳଙ୍କ ଏହି ସହାୟତାର ପଦକ୍ଷେପ ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ଏକ ଉଦାହରଣ ପାଲଟିଛି।