ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ

ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଡି.ଆର.ଡି.ଏ. ସମ୍ମିଳନୀ କକ୍ଷଠାରେ ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଆଜିର ସଭାରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ସଦର ଏସ.ଡି.ପି.ଓ. ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଭିଜିଲାନ୍ସ ଡି.ଏସ.ପି. ଶ୍ରୀ ସୁଶୀଲ କୁମାର ଏକ୍କା, ଭିଜିଲାନ୍ସ ଡି.ଏସ.ପି. ଶ୍ରୀମତୀ ସୁଲୋଚନା ନାଏକ ଏବଂ ଅତିରିକ୍ତ ସି.ଡି.ଓ. ଶ୍ରୀ ଲମ୍ବୋଦର ଖୁଣ୍ଟିଆ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ।

ରାଷ୍ଟ୍ରୀୟ ଏକତା ଦିବସ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଭାରତର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଦେଶର ଏକତା ବଜାୟ ରଖିବା ପାଇଁ “ଏକତା ଶପଥ” ପାଠ କରିଥିଲେ। ଏହାସହିତ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଗଠନ ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଦ୍ୱାରା “ଦୁର୍ନୀତି ନିବାରଣ ଶପଥ” (Vigilance Pledge) ମଧ୍ୟ ପାଠ କରାଯାଇଥିଲା, ଯେଉଁଥିରେ ଉପସ୍ଥିତ ସମସ୍ତ ଅଧିକାରୀ ଶପଥ ଗ୍ରହଣ କରିଥିଲେ।

ସେହିପରି ଭିଜିଲାନ୍ସ ଡି.ଏସ.ପି. ଶ୍ରୀ ସୁଶୀଲ କୁମାର ଏକ୍କା ନିଜ ବକ୍ତବ୍ୟରେ ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୮ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି। ବର୍ଷର ଆହୁରି ଦୁଇ ମାସ ବାକି ଥିବାରୁ ଦୁର୍ନୀତି ନିବାରଣ କ୍ଷେତ୍ରରେ ଆମର ଏହି ଅଭିଯାନ ଆହୁରି ଜୋରଦାର ହେବ। ଏହାସହିତ ସେ ଦୁର୍ନୀତିର ୯ଟି ମୁଖ୍ୟ ପ୍ରକାର—ଲାଞ୍ଚ କାରବାର, ଅର୍ଥ ଆତ୍ମସାତ୍, ସମ୍ପର୍କୀୟ ପ୍ରୀତି (ନେପୋଟିଜିମ୍), ପ୍ରିୟାପ୍ରୀତି ତୋଷଣ, ଜୋରଜବରଦସ୍ତ ଆଦାୟ (ଏକ୍ସଟୋରସନ୍), ଅନୈତିକ ଲାଭ, ପ୍ରତାରଣା/ଠକେଇ, ଅନୁଗ୍ରହ ପୋଷଣ ଏବଂ କ୍ଷମତାର ଅପବ୍ୟବହାର ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।

ଚଳିତ ବର୍ଷର ପ୍ରସଙ୍ଗ – ସାଧୁତାରୁ ସମୃଦ୍ଧିକୁ ନେଇ ଜିଲ୍ଲାର ହାଇସ୍କୁଲ ଓ କଲେଜ ସ୍ତରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପୃଥକ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଆଜିର ଏହି ସଭାରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ୱାରା ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ  ସମାପ୍ତ ହୋଇଥିଲା।