୨୦୩୦ରେ ଭାରତରେ ଆୟୋଜିତ ହେବାକୁ ଥିବା ପୁରୁଷ ଓ ମହିଳା ହକି ବିଶ୍ୱକପ୍କୁ ନେଇ ଏବେଠାରୁ ରାଜ୍ୟଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା। ଏହି ମେଗା ଇଭେଣ୍ଟ ଆୟୋଜନ ଦୌଡ଼ରେ ଓଡ଼ିଶା, ତାମିଲନାଡୁ ଓ ପଞ୍ଜାବ ରହିଛନ୍ତି। ତେବେ ଓଡ଼ିଶାକୁ ହକି ବିଶ୍ୱକପ୍ ଆୟୋଜନ ଦାୟିତ୍ୱ ମିଳିବାର ସମ୍ଭାବନା ଅଧିକ ଥିବା ନେଇ ସଙ୍କେତ ଦେଇଛନ୍ତି ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଳାନାଥ ସିଂହ।

ଶୁକ୍ରବାର ଏକ ସାକ୍ଷାତକାରରେ ସେ କହିଛନ୍ତି, ହକି ବିଶ୍ୱକପ୍ ଆୟୋଜନ ପାଇଁ ଓଡ଼ିଶା ପ୍ରଥମ ପସନ୍ଦ ହୋଇପାରେ। ଯଦି ଓଡ଼ିଶାକୁ ଏହି ଦାୟିତ୍ୱ ମିଳେ, ତେବେ ଏହା ରାଜ୍ୟ ପାଇଁ ଏକ ବଡ଼ ଉପଲବ୍ଧି ହେବ। ତେବେ ଏହି ଦୌଡ଼ରେ ତାମିଲନାଡୁ ଓ ପଞ୍ଜାବ ମଧ୍ୟ ରହିଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।
![]()
ଉଲ୍ଲେଖଯୋଗ୍ୟ, ଓଡ଼ିଶା ପୂର୍ବରୁ ଦୁଇଥର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିସାରିଛି। ଅନ୍ୟପଟେ ତାମିଲନାଡୁ ଗତବର୍ଷ ଚେନ୍ନାଇ ଓ ମଦୁରାଇରେ ପୁରୁଷ ଜୁନିୟର ବିଶ୍ୱକପ୍ ଆୟୋଜନ କରିଥିଲା। ଭାରତୀୟ ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ ପଞ୍ଜାବ ଏବେ ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି। ୧୭ ବର୍ଷ ପରେ ରାଜ୍ୟରେ ଏହା ପ୍ରଥମ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା। ଏହା ପୂର୍ବରୁ ୨୦୦୯ରେ ପଞ୍ଜାବରେ ଗୋଲ୍ଡ କପ୍ ଆୟୋଜିତ ହୋଇଥିଲା।