ସରକାରଙ୍କ ବସୁଧା ଯୋଜନାରେ ଗାଁ ଗାଁକୁ ପାନୀୟ ଜଳ ଯୋଗାଣ ହେଉଥିବା ଦାବି କରାଯାଉଛି। ହେଲେ ଏବେ ବି ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ୧୦ରୁ ଊର୍ଦ୍ଧ୍ୱ ପରିବାର। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଗ୍ରାମ ପଞ୍ଚାୟତର କୁତୁର୍ଲା ଗାଁ ଗଣ୍ଡାପଡ଼ାରେ ଗତ ପାଞ୍ଚ ବର୍ଷ ହେଲା ପାନୀୟ ଜଳ ଯୋଗାଣ ହେଉନଥିବା ଅଭିଯୋଗ ହୋଇଛି।
ପଡ଼ାବାସୀଙ୍କ କହିବା ଅନୁଯାୟୀ, ବସୁଧା ପ୍ରକଳ୍ପ ଆରମ୍ଭ ହେବା ଦିନଠାରୁ ସେମାନଙ୍କ ପଡ଼ାକୁ ପାଣି ଆସୁନାହିଁ। ଏନେଇ ପାଟଣାଗଡ଼ ବିଡିଓଙ୍କଠାରୁ ଆରମ୍ଭ କରି ସରପଞ୍ଚ, ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ପାଣି ଚାଳକଙ୍କୁ ବାରମ୍ବାର ଅବଗତ କରାଯାଇଛି। ଏପରିକି ଟୋଲ୍ ଫ୍ରି ନମ୍ବରରେ ମଧ୍ୟ ଅଭିଯୋଗ କରିଛନ୍ତି। ହେଲେ ଫଳ ଶୂନ। ସବୁଠାରୁ ଗମ୍ଭୀର ଅଭିଯୋଗ ହେଉଛି, ଗଣ୍ଡା ଜାତିର ହୋଇଥିବାରୁ ସେମାନଙ୍କ ପ୍ରତି ଜାତିଗତ ଭେଦଭାବ କରାଯାଉଛି କି ବୋଲି ପଡ଼ାବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଏନେଇ ସମ୍ପୃକ୍ତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।
ପାଞ୍ଚ ବର୍ଷ ଧରି ପାନୀୟ ଜଳ ଭଳି ମୌଳିକ ଅଧିକାରରୁ ବଞ୍ଚିତ ପରିବାରଗୁଡ଼ିକ ଏବେ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ଶୀଘ୍ର ସମସ୍ୟାର ସମାଧାନ ନହେଲେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ପଡ଼ାବାସୀ।