ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା ଗୃହ ମନ୍ତ୍ରଣାଳୟ

ରାଜ୍ୟରେ ବିଗୁଡ଼ୁଥିବା ଆଇନଶୃଙ୍ଖଳା ପରିସ୍ଥିତି, ହାଜତ ହିଂସା, ହତ୍ୟା, ଦୁଷ୍କର୍ମ ଓ ପୁଲିସର କ୍ଷମତା ଅପବ୍ୟବହାର ଭଳି ସଙ୍ଗିନ ଅଭିଯୋଗକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୁରୁତ୍ବର ସହ ନେଇଛି। ଅଭିଯୋଗ ଆଧାରରେ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କଠାରୁ ଜବାବ ଲୋଡ଼ିଛି।

ଏ ସଂକ୍ରାନ୍ତରେ ଗତ ସେପ୍ଟେମ୍ବର ୧୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି । ଏହାକୁ ଆଧାର କରି ଅକ୍ଟୋବର ୧୬ରେ ରାଜ୍ୟ ଗୃହ ବିଭାଗ ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅଭିଯୋଗଗୁଡ଼ିକ ଉପରେ ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ କରିବାକୁ କହିଛି। ହିଂସା, ଜଘନ୍ୟ ହତ୍ୟାକାଣ୍ଡ ଓ ପୁଲିସର କ୍ଷମତା ଅପବ୍ୟବହାର ଭଳି ଘଟଣାକୁ ନେଇ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କ ପକ୍ଷରୁ କେନ୍ଦ୍ର ନିକଟରେ ଅଭିଯୋଗ ପରେ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।