ନୋ PUCC ନୋ ଫ୍ୟୁଏଲ୍। ମାନେ ଏଣିକି ଗାଡ଼ିର ବୈଧ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବା PUCC ନଥିଲେ ମିଳିବନି ଡିଜେଲ କି ପେଟ୍ରୋଲ। ଶୀତ ଆସିବା ପୂର୍ବରୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀରେ ପ୍ରସ୍ତୁତ ହୋଇଛି ଶୀତକାଳୀନ କାର୍ଯ୍ୟଯୋଜନା ବା ୱିଣ୍ଟର ଆକ୍ସନ୍ ପ୍ଲାନ୍। ନଭେମ୍ବର ୧ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ରହିବ।
ନିର୍ମାଣ ଓ ଭଙ୍ଗାଭଙ୍ଗି କାମ ଉପରେ କଟକଣା ସହ AI ପ୍ରଯୁକ୍ତି ମାଧ୍ୟମରେ ନିର୍ମାଣସ୍ଥଳୀଗୁଡ଼ିକ ଉପରେ ନଜର ରଖାଯିବ । ଏହା ସହ ନଭେମ୍ବର ୧ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟର BS-6 ମାନଦଣ୍ଡରୁ କମ୍ ଗାଡ଼ିଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିବନି। ଅନ୍ୟପଟେ ସ୍ୱଚ୍ଛ ଯାତାୟାତକୁ ପ୍ରୋତ୍ସାହନ ଦେବା ପାଇଁ ଇଲେକ୍ଟ୍ରିକ୍ ବସ୍ ସେବା, ମେଟ୍ରୋ ଯାତ୍ରା, ଲାଷ୍ଟ୍ ମାଇଲ କନେକ୍ଟିଭିଟି ସୁବିଧା ଏବଂ କାର୍ ପୁଲିଂ ଉପରେ ଗୁରୁତ୍ୱ ଦିଆଯିବ । ଏହାଦ୍ୱାରା ରାସ୍ତାରେ ବ୍ୟକ୍ତିଗତ ଗାଡ଼ିର ଚଳାଚଳ ହ୍ରାସ ପାଇବା ସହ ପ୍ରଦୂଷଣ ନିୟନ୍ତ୍ରଣରେ ସହାୟତା ମିଳିବ ବୋଲି ଆଶା ରଖାଯାଇଛିö
ଏହାସହ ପ୍ରଦୂଷଣ ହ୍ରାସ କରିବାକୁ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କ ପାଇଁ ଘରୁ କାମ ବା ୱାର୍କ ଫ୍ରମ୍ ହୋମ୍ ଏବଂ ଭିନ୍ନ ଭିନ୍ନ ସମୟରେ ଅଫିସ୍ ଆସିବା ବ୍ୟବସ୍ଥା ମଧ୍ୟ ଯୋଜନାରେ ସାମିଲ ହୋଇଛି ।