ପୁରୀ: ବଲିଉଡ୍ ଅଭିନେତା ଗୋବିନ୍ଦା ବୁଧବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ବିଜୟା ଦଶମୀର ପବିତ୍ର ଅବସରରେ ସେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରାର୍ଥନା କରିବା ସହ ମହାପ୍ରଭୁଙ୍କ ‘ସୁନା ବେଶ’ ମଧ୍ୟ ଦର୍ଶନ କରିଛନ୍ତି।
ପବିତ୍ର ଦଶହରା ତଥା ବିଜୟା ଦଶମୀ ଅବସରରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବା ପରେ ସେ ଭାବ ବିଭୋର ହୋଇ ପଡିଛନ୍ତି । ଅତି ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସେ ବିମୁଗ୍ଧ ହୋଇ ଯାଇଥିଲେ । ଏଥିସହ ମା’ ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।

ଦର୍ଶନ ସାରି ଫେରିବା ପରେ ଗୋବିନ୍ଦା କହିଛନ୍ତି ମହାପ୍ରଭୁଙ୍କ ଦର୍ଶନ କରିବା ମୋ ପାଇଁ ବଡ଼ ଭାଗ୍ୟ । ପବିତ୍ର ବିଜୟା ଦଶମୀରେ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ । ସାରା ଦେଶବାସୀଙ୍କ ମଙ୍ଗଳ କାମନା ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି । ଜୀବନରେ ଯେତେବେଳେ କୌଣସି ପରିସ୍ଥିତି ଆସିଲେ ଜଗନ୍ନାଥଙ୍କ କୃପାରୁ ତାହା ସାମ୍ନା କରିବାକୁ ଶକ୍ତି ମିଳେ ।