ରାଜଧାନୀରେ ଉତପାତ ଗାଡି ଚାଳକ

ରାଜଧାନୀରେ ବଢୁଛି ଅମାନିଆ ଗାଡି ଚାଳକଙ୍କ ଉତପାତ୍

ଆଶ୍ଚର୍ଯ୍ୟ କରାଇଲା ବିଧାନସଭାର ତଥ୍ୟ

କଠୋର କାର୍ଯ୍ୟାନୁଷ୍ଠାନ ପରେ ବି ପଡୁନି ଫରକ

ସଡକ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଟ୍ରାଫିକ ନିୟମ ଲାଗୁ କରାଯାଇଛି କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଭୁବନେଶ୍ୱରରେ ଟ୍ରାଫିକ ନିୟମକୁ ଫୁ କରି ଉଡାଇ ଦେଉଥିବା ଗାଡି ଚାଳକଙ୍କ ସଂଖ୍ୟା ବେଶ୍ ଅଧିକ । ଖାସ୍ କରି ଟ୍ରାଫିକ ନିୟମକୁ ଉଲ୍ଲଂଘନ କରୁଥିବା ଅମାନିଆ ଗାଡି ଚାଳକଙ୍କ ସଂଖ୍ୟା ରାଜଧାନୀରେ ଅଧିକ । ରାଜଧାନୀରେ ଦିନକୁ ଦିନ ଗାଡି ସଂଖ୍ୟା ବୃଦ୍ଧି ପାଉଛି, ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ କରିବା ପାଇଁ ଅମାନିଆ ଗାଡି ଚାଳକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ନିୟମ ଉଲ୍ଲଘଂନକାରୀଙ୍କ ଉପରେ ପ୍ରଶାସନର ନଜର ରହିଥିବାବେଳେ ପ୍ରତିଦିନ ଚାଲାଣ ମଧ୍ୟ କଟାଯାଉଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ରାଜଧାନୀ ଭୁବନେଶ୍ୱରରେ ପରିବହନ ଆଇନ ଉଲ୍ଲଂଘନ ମାମଲାରେ ବ୍ୟାପକ ଚାଲାଣ କଟାଯିବା ସହିତ ଗାଡି ଜବତ କରାଯାଇଛି । ଅଢ଼େଇ ବର୍ଷର ତଥ୍ୟକୁ ନେଇ ବିଧାନସଭାରେ ଦିଆଯାଇଥିବା ଲିଖିତ ଉତ୍ତରରୁ ଏହି ଚିତ୍ର ସାମ୍ନାକୁ ଆସିଛି । ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ୧୩ ହଜାର ୮୪୪ଟି ଚାଲାଣ କଟାଯାଇଛି । ଏହା ସହ ୧୪୪ଟି ଗାଡି ଜବତ କରାଯାଇଛି । କେବଳ ଭୁବନେଶ୍ୱର ନୁହେଁ ବରଂ କଟକ ଜିଲ୍ଲାକୁ ନେଇ ମଧ୍ୟ ସମାନ ତଥ୍ୟ ସାମ୍ନାକୁ ଆସିଛି । ଟ୍ୱିନ ସିଟିରେ ଅମାନିଆ ଗାଡି ଚାଳକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସୂଚନା ମୁତାବକ କଟକରେ ୧୦ ହଜାର ୮୪୪ଟି ଚାଲାଣ କଟାଯାଇଥିବା ବେଳେ ୨୯୧ଟି ଗାଡ଼ି ଜବତ ହୋଇଛି ।

ତେବେ କେବଳ ଟ୍ୱିନ ସିଟିରେ ନୁହେଁ ବରଂ ସାରା ରାଜ୍ୟରେ ପରିବହନ ଆଇନ ଉଲ୍ଲଂଘନର ଚିତ୍ର ମଧ୍ୟ ଚିନ୍ତାଜନକ ଅଟେ । ଅଢ଼େଇ ବର୍ଷ ମଧ୍ୟରେ ଆଇନ ଉଲ୍ଲଂଘନ ମାମଲାରେ ମୋଟ ୧୫ କୋଟି ୧୬ ଲକ୍ଷ ୫୩ ହଜାର ୭୩୬ ଟଙ୍କା ଜରିମାନା ଆଦାୟ ହୋଇଛି । ସେହି ସମୟ ମଧ୍ୟରେ ୧,୮୧୨ଟି ଗାଡ଼ି ଜବତ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଚାଲାଣ କାଟିବା ଓ ଗାଡ଼ି ଜବତ ଭଳି ପଦକ୍ଷେପ ନିଆଯାଇଥିଲେ ମଧ୍ୟ ନିୟମ ଉଲ୍ଲଂଘନର ସଂଖ୍ୟା ଏବେ ବି ଉଲ୍ଲେଖନୀୟ ରହିଛି । ରାଜଧାନୀରେ ଜନସଂଖ୍ୟା ବୃଦ୍ଧି ପାଉଛି ଯାହାଫଳରେ ଟ୍ରାଫିକରେ ଭିଡ ମଧ୍ୟ ବଢୁଛି କିନ୍ତୁ କିଛି ଅମାନିଆ ଗାଡି ଚାଳକଙ୍କ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।