କାଗଜପତ୍ର ଠିକ୍ ନଥିଲେ ଆପେ ଆସିଯିବ ଚାଲାଣ   

କାଗଜପତ୍ର ଠିକ୍ ନଥିଲେ ଆପେ ଆସିଯିବ ଚାଲାଣ । ଆଉ ଆପଣଙ୍କୁ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । ପଲ୍ୟୁସନ୍ ଓ ଇନ୍ସୁରାନ୍ସ ନଥିଲେ ଗାଡ଼ି ଚାଳକଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ଏବଂ ବୀମା ବିନା ସାର୍ବଜନୀନ ରାସ୍ତାରେ ଚଳାଚଳ କରୁଥିବା ଯାନବାହନଗୁଡ଼ିକୁ ଚିହ୍ନଟ କରିବା ପାଇଁ ଓଡ଼ିଶା ପରିବହନ କମିଶନର ଏକ ଇ-ଡିଟେକ୍ସନ୍ ସିଷ୍ଟମ୍ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ e-Challan ଓ e-Detection ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, କାଗଜପତ୍ର ଖିଲାପ କଲେ VAHAN ସିଷ୍ଟମ୍‌ରେ ଗାଡ଼ିକୁ ଚିହ୍ନଟ କରାଯାଇ ପଞ୍ଜିକରଣ ସେବା ବାତିଲ କରାଯିବ ।​

ଅମାନିଆ ଗାଡ଼ି ଚାଳକ ହୋଇଯାନ୍ତୁ ସାବଧାନ । ଘରୁ ଗାଡ଼ି କାଢ଼ିବା ପୂର୍ବରୁ ଠିକ୍ କରାଇ ଦିଅନ୍ତୁ କାଗଜପତ୍ର । ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶାର ପରିବହନ କମିଶନର-କମ-ଚେୟାରମ୍ୟାନଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଏକ ସାର୍ବଜନୀନ ନୋଟିସ ଅନୁଯାୟୀ, ସାର୍ବଜନୀନ ରାସ୍ତାରେ ଚଳାଚଳ କରୁଥିବା ମୋଟର ଯାନ ପାଇଁ PUCC ଏବଂ ବୀମା ସମେତ ବୈଧ ସାମ୍ବିଧାନିକ କାଗଜପତ୍ର ରଖିବା ବାଧ୍ୟତାମୂଳକ। ଏବେ ରାଜ୍ୟରେ ପ୍ରାୟ ୬୫ ଲକ୍ଷ ଗାଡ଼ିର ଇନସ୍ୟୁରାନ୍ସ ନଥିବା ବେଳେ ଲକ୍ଷ ଲକ୍ଷ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ୍‌ ମଧ୍ୟ ନାହିଁ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨ ଠାରେ ଏକ ସ୍ବତନ୍ତ୍ର କମାଣ୍ଡ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି ।