ନିଶାମୁକ୍ତି ପାଇଁ ପୋଲିସର ସାମୂହିକ ଶପଥ

ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶାମୁକ୍ତ ସମାଜ ଗଠନ ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ପୋଲିସ ପକ୍ଷରୁ ସାମୂହିକ ନିଶାମୁକ୍ତି ଶପଥ ପାଠ ଅନୁଷ୍ଠିତ ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ସମେତ ରାଜ୍ୟର ୩୫ଟି ପୋଲିସ ଜିଲ୍ଲାର ସମସ୍ତ ଥାନା ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ଓ ପୋଲିସ କର୍ମଚାରୀମାନେ ସାମୂହିକ ଭାବେ ଶପଥ ନେଇଥିଲେ। ନିଶାଦ୍ରବ୍ୟର କୁପ୍ରଭାବରୁ ନିଜକୁ, ପରିବାରକୁ ଏବଂ ସମାଜକୁ ସୁରକ୍ଷିତ ରଖିବା ସହ ନିଜେ ନିଶାଦ୍ରବ୍ୟ ସେବନରୁ ଦୂରେଇ ରହିବା ପାଇଁ ସମସ୍ତେ ସଙ୍କଳ୍ପ ନେଇଥିଲେ।

ଏଥିସହ ବନ୍ଧୁବର୍ଗ, ପରିବାର ସଦସ୍ୟ ଏବଂ ସମାଜର ଅନ୍ୟମାନଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ଓଡ଼ିଶାକୁ ନିଶାମୁକ୍ତ କରିବା ଦିଗରେ ସକ୍ରିୟ ଭୂମିକା ନେବାକୁ ପୋଲିସ କର୍ମଚାରୀମାନେ ଶପଥ ନେଇଥିଲେ। ନିଶାମୁକ୍ତ ସମାଜ ଗଠନରେ ଯୁବଶକ୍ତିର ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବା ସହ ସାରା ରାଜ୍ୟରେ ନିଶା ନିବାରଣର ବାର୍ତ୍ତା ପହଞ୍ଚାଇବା ଉପରେ ଏହି ଅଭିଯାନରେ ଗୁରୁତ୍ୱ ଦିଆଯାଉଛି। ପୋଲିସ ପ୍ରଶାସନ ପକ୍ଷରୁ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଦୃଢ଼ ପ୍ରତିବଦ୍ଧତା ମଧ୍ୟ ପ୍ରକାଶ କରାଯାଇଛି।

ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଅନୁଷ୍ଠିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଆଇଜିପି (କାର୍ମିକ) ଶ୍ରୀ ପ୍ରବୀଣ କୁମାର, ଆଇଜିପି (କେନ୍ଦ୍ରାଞ୍ଚଳ) ଶ୍ରୀ ସତ୍ୟଜିତ ନାୟକ, ଡିଆଇଜିପି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମିନା, ଡିଆଇଜିପି (କାର୍ମିକ) ଶ୍ରୀ ଯୁଗଳ କିଶୋର ବୋନଥଙ୍କ ସମେତ ପୋଲିସ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସମସ୍ତେ ଏକାଠି ହୋଇ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଶପଥ ନେବା ସହ ନିଶା ବିରୋଧରେ ଜନସଚେତନତା ସୃଷ୍ଟି ଦିଗରେ ନିଜର ଭୂମିକା ନିଭାଇବାକୁ ସଙ୍କଳ୍ପବଦ୍ଧ ହୋଇଛନ୍ତି।