ଦିବ୍ୟାଙ୍ଗଙ୍କୁ ୟୁଡିଆଇଡି କାର୍ଡ ପ୍ରଦାନ ପ୍ରକ୍ରିୟାକୁ ତତ୍ପର କରିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର…

ଦିବ୍ୟାଙ୍ଗଙ୍କୁ ୟୁନିକ୍ ଡିସେବିଲିଟି ଆଇଡି (ୟୁଡିଆଇଡି) କାର୍ଡ ପ୍ରଦାନ ପ୍ରକ୍ରିୟାକୁ ଅଧିକ ତତ୍ପର କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ହଜାର ହଜାର ଆବେଦନ ମେଡିକାଲ ଟେଷ୍ଟ ଅଭାବରୁ ବିଚାରାଧୀନ ଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (ଏସଏସଇପିଡି) ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସମସ୍ତ ଜିଲ୍ଲାରେ ନିୟମିତ ମେଡିକାଲ ବୋର୍ଡ ବସାଇବା ସହ ବକେୟା ଆବେଦନଗୁଡ଼ିକର ତୁରନ୍ତ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଛି। ଏହାସହ ପ୍ରକୃତ ଦିବ୍ୟାଙ୍ଗମାନେ ଯେପରି କୌଣସି ପର୍ୟ୍ୟାୟରେ ଅନାବଶ୍ୟକ ହଇରାଣ କିମ୍ବା ବିଳମ୍ବର ଶିକାର ନ ହୁଅନ୍ତି, ସେଥିପ୍ରତି ମଧ୍ୟ ବିଶେଷ ଗୁରୁତ୍ୱ ଦେବାକୁ କୁହାଯାଇଛି।

ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଓଡ଼ିଶାରେ ୟୁଡିଆଇଡି ପୋର୍ଟାଲରେ ଏପର୍ୟ୍ୟନ୍ତ ୧୩ ଲକ୍ଷ ୩୨ ହଜାର ୪୧୫ଟି ଆବେଦନ ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୩ ହଜାର ୩୪୪ ଜଣଙ୍କୁ ୟୁଡିଆଇଡି କାର୍ଡ ମିଳିସାରିଥିବା ବେଳେ ୩ ଲକ୍ଷ ୧୪ ହଜାର ୭୨୧ଟି ଆବେଦନ ବିଭିନ୍ନ କାରଣରୁ ବାତିଲ ହୋଇଛି।ଏବେ ମଧ୍ୟ ୪୪ ହଜାର ୩୫୦ଟି ଆବେଦନ ବିଭିନ୍ନ ସ୍ତରରେ ବିଚାରାଧୀନ ରହିଛି। ଏହି ବକେୟା ଆବେଦନର ଅଧିକାଂଶ ମେଡିକାଲ ବୋର୍ଡର ଅନୁମୋଦନ ଅପେକ୍ଷାରେ ଥିବାରୁ ପ୍ରକ୍ରିୟାରେ ବିଳମ୍ବ ଘଟୁଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲାରେ ନିୟମିତ ମେଡିକାଲ ବୋର୍ଡ ପରିଚାଳନା, ଦିବ୍ୟାଙ୍ଗତା ନିର୍ଣ୍ଣୟ ପାଇଁ ଆବଶ୍ୟକ ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ବକେୟା ମାମଲାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ନିଷ୍ପତ୍ତି କରି ୟୁଡିଆଇଡି କାର୍ଡ ଜାରି କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି।ଅନ୍ୟପକ୍ଷରେ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ ବୋର୍ଡ ଓ ଜିଲ୍ଲା ଦିବ୍ୟାଙ୍ଗ ପୁନର୍ବାସ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ନିୟମିତ ମୂଲ୍ୟାଙ୍କନ ଶିବିର ଆୟୋଜନ କରିବାକୁ କୁହାଯାଇଛି।