ଭିଜିଲାନ୍ସ ପଞ୍ଝାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ପ୍ରିନ୍ସିପାଲ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର OAV ପ୍ରିନ୍ସିପାଲ ସୀତାକାନ୍ତ ରଣା SHG ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ଟିମ୍ ପ୍ରିନ୍ସିପାଲକୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ବେଳେ ପ୍ରିନ୍ସିପାଲଙ୍କ ଭବାନୀପାଟଣା ସ୍ଥିତ ବାସଭବନରେ ଚଢ଼ାଉ କରିଥିବା ସୂଚନା ମିଳିଛି ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୀତାକାନ୍ତ ରାଣା ୨୦୨୬-୨୭ ବର୍ଷରେ ୩ ମାସର ବକେୟା ବିଲ୍ ପ୍ରଦାନ ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । କିଛି ଦିନ ଧରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଭିଯୁକ୍ତ ସୀତାକାନ୍ତ ରାଣାଙ୍କୁ ବକେୟା ବିଲ୍ ପ୍ରଦାନ କରିବାକୁ ଅନୁରୋଧ କରୁଥିଲେ । ଲାଞ୍ଚ ଟଙ୍କା ଦେଇ ନ ପାରିବାରୁ ସଦସ୍ୟ ମାନେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଭିଜିଲାନ୍ସର ଏକ ଟିମ୍ ପୂର୍ବ ଯୋଜନା ମୁତାବକ ସୀତାକାନ୍ତ ରାଣାଙ୍କୁ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଗିରଫ କରିଛି । ଅଭିଯୁକ୍ତ ଶ୍ରୀ ରାଣାଙ୍କ ନିକଟରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି । ଶ୍ରୀ ରାଣାଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ ଚାଲିଛି ।