ଅଦିନରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ପ୍ରସଙ୍ଗକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ପୁଣିଥରେ ଇସ୍କନକୁ ଚିଠି ଲେଖିଛନ୍ତି। ପୂର୍ବରୁ ହୋଇଥିବା ପ୍ରତିଶ୍ରୁତି ସତ୍ତ୍ୱେ ଇସ୍କନ ପକ୍ଷରୁ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ତିଥି ବାହାରେ ରଥଯାତ୍ରା ଓ ସ୍ନାନଯାତ୍ରା ପାଳନ କରାଯାଉଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇସ୍କନର ଅଧ୍ୟକ୍ଷ ମଧୁସେବିତା ଦାସ ପ୍ରଭୁଙ୍କୁ ଲେଖା ଚିଠିରେ ଗଜପତି ସ୍ପଷ୍ଟ କରିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ପୀଠ ହେଉଛି ପୁରୀ। ୨୦୨୫ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଇସ୍କନ ତିଥି ଅନୁଯାୟୀ ସ୍ନାନଯାତ୍ରା, ରଥଯାତ୍ରା ଏବଂ ନବଦିନାତ୍ମକ ଉତ୍ସବ ପାଳନ କରିବାକୁ ସହମତି ପ୍ରକାଶ କରିଥିଲା।

ଏହାସହ ୨୦୨୫ ଅକ୍ଟୋବରରେ ଜି.ବି.ସି. ନେଇଥିବା ନିଷ୍ପତ୍ତି ଅନୁଯାୟୀ ସମଗ୍ର ବିଶ୍ୱରେ କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନଯାତ୍ରା ପାଳନ କରିବାକୁ କୁହାଯାଇଥିଲା। କିନ୍ତୁ ତାହା ସତ୍ତ୍ୱେ ୨୦୨୬ ମେ’ ୧ ପରେ ବିଶ୍ୱର ଏକାଧିକ ସ୍ଥାନରେ ଅଦିନରେ ସ୍ନାନଯାତ୍ରା ପାଳନ କରାଯାଇଥିବା ଗଜପତି ଚିଠିରେ ଉଲ୍ଲେଖ କରିଛନ୍ତି। ଚିଠିରେ ସେ ଆହୁରି କହିଛନ୍ତି ଯେ, ମହାପ୍ରଭୁଙ୍କ ପ୍ରକଟ ଦିବସ ସ୍ୱରୂପ ସ୍ନାନଯାତ୍ରା କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ହିଁ ପାଳନ କରାଯିବା ଉଚିତ। ତେଣୁ ବିଶ୍ୱର ସମସ୍ତ ଇସ୍କନ ମନ୍ଦିରରେ ଏହି ତିଥିକୁ ଅନୁସରଣ କରିବାକୁ ସେ ଅନୁରୋଧ କରିଛନ୍ତି।
ସେହିପରି ଉଜ୍ଜୟିନୀ ଇସ୍କନ ମନ୍ଦିର ପକ୍ଷରୁ ମଧ୍ୟପ୍ରଦେଶର ୬୬ଟି ସ୍ଥାନରେ ୨୦୨୬ ଜୁଲାଇ ୧୬ରୁ ୨୫ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ପାଳନ ପାଇଁ ଯୋଜନା କରାଯାଇଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ ହୋଇଛି। ଗଜପତିଙ୍କ କହିବା ଅନୁସାରେ, ନବଦିନାତ୍ମକ ଉତ୍ସବ ଜୁଲାଇ ୧୬ରୁ ୨୪ ତାରିଖ ମଧ୍ୟରେ ସମାପ୍ତ ହେବା କଥା। ଏହି ପରିସ୍ଥିତିରେ ୨୫ ଜୁଲାଇରେ ରଥଯାତ୍ରା ଆୟୋଜନ ନବଦିନାତ୍ମକ ପରମ୍ପରାର ବାହାରେ ଥିବାରୁ ଏହା ଅନୁଷ୍ଠିତ ହେବା ଉଚିତ ନୁହେଁ ବୋଲି ସେ ମତ ରଖିଛନ୍ତି।
ଚିଠିର ଶେଷରେ ଗଜପତି ଉଲ୍ଲେଖ କରିଛନ୍ତି ଯେ, ଭାରତର ସମସ୍ତ ଇସ୍କନ ମନ୍ଦିରରେ ରଥଯାତ୍ରା କେବଳ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ କରି ନବଦିନାତ୍ମକ ଉତ୍ସବ ଅବଧି ମଧ୍ୟରେ ହିଁ ପାଳନ କରାଯିବା ଉଚିତ।