ଓଡ଼ିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଜାପାନର ACME Group ଓ IHI Corporation ସହ ଓଡ଼ିଶା ସରକାର Memorandum of Cooperation (MoC) ସ୍ୱାକ୍ଷର କରିଛନ୍ତି।

ଏହି ଚୁକ୍ତି ଅନୁଯାୟୀ ପାରାଦୀପ ଓ ଗୋପାଳପୁରରେ ୩ଟି ବୃହତ୍ ଗ୍ରୀନ୍ ଏନର୍ଜି ପ୍ରକଳ୍ପ ସ୍ଥାପନ କରାଯିବ। ଏଥିରେ ମୋଟ ୬୭ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ପ୍ରାୟ ୭,୬୦୦ ନିଯୁକ୍ତି ସୃଷ୍ଟି ହେବ।

ଗୋପାଳପୁରରେ ୨୦ ହଜାର କୋଟି ଟଙ୍କାରେ ୦.୪ MTPA କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ହେବ। ଏହା ସହ ୧,୦୦୦ କୋଟି ଟଙ୍କାରେ ଫ୍ଲୋଟିଂ ଟର୍ମିନାଲ୍ ମଧ୍ୟ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ୩,୪୦୦ ନିଯୁକ୍ତି ସୃଷ୍ଟି ହେବ। ପାରାଦୀପରେ ୩୪ ହଜାର କୋଟି ଟଙ୍କାରେ ୦.୮ MTPA ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ ହେବ, ଯାହା ଦ୍ୱାରା ୩,୬୦୦ ଜଣଙ୍କୁ ରୋଜଗାର ମିଳିବ। ସେହିପରି ୧୨ ହଜାର କୋଟି ଟଙ୍କା ବିନିଯୋଗରେ ୦.୧ MTPA ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ ମଧ୍ୟ ପାରାଦୀପରେ ସ୍ଥାପନ ହେବ, ଯାହା ମାଧ୍ୟମରେ ୬୦୦ ନିଯୁକ୍ତି ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଉପରେ ଆଧାରିତ ହେବ। ରାଜ୍ୟକୁ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ୧୨ଟି ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ଅନୁମୋଦନ ପାଇଛି। ଏହା ଦ୍ୱାରା ୨ ଲକ୍ଷ କୋଟିରୁ ଅଧିକ ନିବେଶ ଏବଂ ୩୬ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ ଦୁଇଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି।

ଜାପାନର IHI Corporation, Mitsubishi ଓ ACME Group ପ୍ରତିନିଧିମାନେ ମଧ୍ୟ ଓଡ଼ିଶାର ଶିଳ୍ପାନୁକୂଳ ପରିବେଶ ଏବଂ ଗ୍ରୀନ୍ ଏନର୍ଜି ନୀତିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେମାନେ କହିଛନ୍ତି, ସବୁଜ ଶକ୍ତି କ୍ଷେତ୍ରରେ ଜାପାନ ପାଇଁ ଓଡ଼ିଶା ଏକ ବିଶ୍ୱସ୍ତ ଓ ଆକର୍ଷଣୀୟ ନିବେଶ ସ୍ଥଳ ହୋଇଉଠିଛି। ଏହାସହ ଭବିଷ୍ୟତରେ ଓଡ଼ିଶାରୁ ଜାପାନକୁ ଗ୍ରୀନ୍ ଏନର୍ଜି ରପ୍ତାନିର ବ୍ୟାପକ ସମ୍ଭାବନା ଥିବା କଥା ମଧ୍ୟ ସେମାନେ ପ୍ରକାଶ କରିଛନ୍ତି।