ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଦୁଃଖଦ ଗ୍ୟାସ ଲିକ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୭ କୁ ଛୁଇଁଛି । ମୃତ ୭ ଜଣଙ୍କ ମଧ୍ୟରୁ ୫ ଜଣ କେନ୍ଦୁଝର ଜିଲ୍ଲାର ହୋଇଥିବା ଜଣାପଡିଛି । ମୃତକ ମାନେ ହେଲେ ଜିମାଣୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ, ଶିବାନୀ ଜୁଆଙ୍ଗ ଓ ଫୁଲମଣି ଜୁଆଙ୍ଗ । ଘଟଣା ସମ୍ପର୍କରେ ଓଡ଼ିଶା ସରକାର ଆରମ୍ଭରୁ ସଜାଗ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ । ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତ ଓଡ଼ିଆ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତାମିଲନାଡୁର ତିରୁଭଲ୍ଲୁରେ ପହଞ୍ଚି ତାମିଲନାଡୁ ଅଧିକାରୀ ମାନଙ୍କ ସହିତ ସମନ୍ୱୟ ରକ୍ଷାକରି ଆହତ ଶ୍ରମିକମାନଙ୍କ ଚିକିତ୍ସା ଉପରେ ସରକାର ନଜର ରଖିଛନ୍ତି ଏବଂ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି । ପୀଡ଼ିତ ପରିବାରମାନଙ୍କୁ ସରକାରୀ ସହାୟତା ଏବଂ ନିୟମାନୁସାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ମୃତ ଶ୍ରମିକମାନଙ୍କ ପରିଚୟ ସୁନିଶ୍ଚିତ କରାଯାଇଛି ଏବଂ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ସମ୍ମାନର ସହିତ ସେମାନଙ୍କ ଗାଁକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ।

ଘଟଣାକୁ ଗମ୍ଭୀରତାର ସହ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ୩ ଜଣିଆ ବିଶେଷ ତଦନ୍ତ କମିଟି ଗଠନ କରାଯାଇଛି । କମିଟିରେ ଶିଳ୍ପ ସୁରକ୍ଷା ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଜନସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସାମିଲ ଅଛନ୍ତି । କମିଟିକୁ ୨୪ ଘଣ୍ଟା ମଧ୍ୟରେ ଅନ୍ତରୀଣ ରିପୋର୍ଟ ଏବଂ ୩ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।