ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କାର୍ଯ୍ୟାନୁଷ୍ଠାନ, ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ

ଭିଭିଆଇପି ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କାର୍ଯ୍ୟାନୁଷ୍ଠାନ, ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ। ଭିଭିଆଇପି ଓ ଭିଆଇପିଙ୍କ ଗସ୍ତ ସମୟରେ ସୁରକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ସୂଚନା ଲିକ୍‌ ହେଉଥିବା ଘଟଣାକୁ ଗୁରୁତ୍ୱର ସହ ନେଇ ଓଡ଼ିଶା ସରକାର କଡ଼ା ସତର୍କତା ଜାରି କରିଛନ୍ତି। ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ଏସ୍‌ପି, ଡିଜି ଓ ଆଇଜି ଅଫ୍‌ ପୋଲିସ୍‌ ସହ ଗୁପ୍ତଚର ବିଭାଗକୁ ନିର୍ଦ୍ଦେଶ। ଭିଭିଆଇପିଙ୍କ ମିନିଟ୍‌-ଟୁ-ମିନିଟ୍‌ କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା ଓ ଅପରେସନାଲ ତଥ୍ୟ ଅନଧିକୃତ ଭାବେ ସେୟାର୍‌ ହେଲେ ଗୁରୁତର ସୁରକ୍ଷା ଝୁମ୍ପ ସୃଷ୍ଟି ହେବ ବୋଲି ସରକାର ସଚେତନ କରିଛନ୍ତି। ଗତ କିଛି ବର୍ଷ ଧରି ଭିଆଇପି ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆ ଓ ବ୍ୟକ୍ତିଗତ ମେସେଜିଂ ଆପ୍‌ ମାଧ୍ୟମରେ ଲିକ୍‌ ହେବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହା ଫଳରେ ସେହି ସୂଚନା ମିଡିଆ ଓ ଅନଧିକୃତ ବ୍ୟକ୍ତିଙ୍କ ହାତକୁ ପହଞ୍ଚୁଥିବାରୁ ସୁରକ୍ଷା ବିପଦ ବଢ଼ୁଛି।

‘ନିଡ୍‌-ଟୁ-ନୋ’ ଆଧାରରେ ସୂଚନା ବାଣ୍ଟିବାକୁ ନିର୍ଦ୍ଦେଶ।  ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା କେବଳ ଅଧିକୃତ ଅଧିକାରୀଙ୍କ ସହ ‘ନିଡ୍‌-ଟୁ-ନୋ’ ଆଧାରରେ ମାତ୍ର ସେୟାର୍‌ କରାଯିବ। ମିନିଟ୍‌-ଟୁ-ମିନିଟ୍‌ ପ୍ରୋଗ୍ରାମ, ସୁରକ୍ଷା ବ୍ୟବସ୍ଥା, ରୁଟ୍‌ ଚାର୍ଟ ଓ ଅନ୍ୟାନ୍ୟ ଅପରେସନାଲ ତଥ୍ୟ ସାଧାରଣ ମେସେଜିଂ ପ୍ଲାଟଫର୍ମ କିମ୍ବା ସୋସିଆଲ ମିଡିଆରେ ସେୟାର୍‌ କରିବାକୁ ସଂପୂର୍ଣ୍ଣ ମନା କରାଯାଇଛି।ବେସରକାରୀ ମେସେଜିଂ ସର୍ଭିସ୍‌ ମାଧ୍ୟମରେ ତଥ୍ୟ ପଠାଇବାରେ ତଥ୍ୟ ଚୋରି କିମ୍ବା ଲିକ୍‌ ହେବାର ସମ୍ଭାବନା ଅଧିକ। ତେଣୁ ସମସ୍ତ ବିଭାଗ ଓ ସୁରକ୍ଷା ସଂସ୍ଥାକୁ ଏନେଇ ସଚେତନ ରହିବାକୁ କୁହାଯାଇଛି। ଅଧିକାରୀ ଓ କର୍ମଚାରୀଙ୍କୁ ସେନ୍ସିଟାଇଜ୍‌ କରିବାକୁ ଗୁରୁତ୍ୱ । ଭିଭିଆଇପି ଗସ୍ତ ପୂର୍ବରୁ ସୁରକ୍ଷା ସମ୍ବନ୍ଧୀୟ ଗୋପନୀୟତା ରକ୍ଷା ପାଇଁ ପୁନର୍ବାର ବ୍ରିଫିଂ ଦେବାକୁ ନିର୍ଦ୍ଦେଶ ରହିଛି। ବିଶେଷ କରି ପାକିସ୍ତାନୀ ଗୁପ୍ତଚର ସଂସ୍ଥା ସହ ଶତୃତାପୂର୍ଣ୍ଣ ତତ୍ତ୍ୱମାନେ ଭୁଆ ପରିଚୟ ଦେଇ ସମ୍ବେଦନଶୀଳ ସୂଚନା ହାସଲ କରିବାର ଚେଷ୍ଟା କରୁଥିବା ଉଲ୍ଲେଖ କରି ସତର୍କ ରହିବାକୁ କୁହାଯାଇଛି। ଲିକ୍‌ ହେଲେ କଡ଼ା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ