ରାଜଧାନୀ ଉପକଣ୍ଠ ରେ ଅଭାବନୀୟ ଘଟଣା. ଯୁବତୀ ଙ୍କୁ ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ. ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ଉପରେ ଘଟିଛି ଘଟଣା.. ପୋଲିସ ଉପସ୍ଥିତିରେ ଯୁବକଙ୍କୁ ମାଡ଼ ହୋଇଥିଲା । ସୂଚନାନୁଯାୟ. ଆଜି ସକାଳ ପ୍ରାୟ ୧୦ଟା ସମୟରେ ବେଣୁପୁର ଅଞ୍ଚଳର ଦୁଇଜଣ ଯୁବତୀ ଏକ ସ୍କୁଟି ଯୋଗେ ଭିଙ୍ଗାରପୁର ଅଭିମୁଖେ ଯାଉଥିଲେ। ରାମଚନ୍ଦ୍ରପୁର ବ୍ୟାରେଜ ସମ୍ମୁଖରେ ପଛପଟୁ ଆସୁଥିବା ଏକ ବାଇକ୍ ସେମାନଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଯୁବତୀ ଦ୍ୱୟ ରାସ୍ତା ଉପରେ ପଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବାଇକ୍ ରେ ଥିବା ଦୁଇ ଜଣକ ମଧ୍ୟରୁ ଜଣେ ମାନବିକତା ଭୁଲିଯାଇଥିଲେ।ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଯୁବତୀଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଅଭିଯୁକ୍ତ ଜଣକ ସର୍ବସାଧାରଣରେ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ବାଟୋଇ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଓଲଟା ସେମାନଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ଅଭିଯୁକ୍ତ ଓ ତାଙ୍କ ସହଯୋଗୀଙ୍କୁ କାବୁ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ।ଧରାପଡ଼ିଥିବା ଯୁବକ ଜଣକ ଅଡ଼ଶପୁର ବାହାରଣା ଗ୍ରାମର ଓମ୍ ବୋଲି ଜଣାପଡ଼ିଛି। ସେ ମୌଜପୁର ଅଞ୍ଚଳରେ ଏକ ଜିମ୍ ସେଣ୍ଟର ଚଲାଉଥିଲେ।
ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଓମ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୬ନଂ ଡାକ୍ତରଖାନା ପଠାଇଥିଲା। ତେବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଯୁବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଛି। ଦିନ ଦ୍ୱିପ୍ରହରରେ ଜଣେ ମୁମୂର୍ଷୁ ଯୁବତୀଙ୍କ ସହ ଏଭଳି ବର୍ବରକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ପରେ ସାଧାରଣ ଲୋକ ଓ ବିଶେଷ କରି ମହିଳାମାନଙ୍କ ସୁରକ୍ଷାକୁ ନେଇ ଗଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।