ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା; ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ପୂର୍ବତନ ମନ୍ତ୍ରୀ ଏବଂ ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ଘଟିଥିବା ହଙ୍ଗାମା ଘଟଣା ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ କ୍ୟାପିଟାଲ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସିଦ୍ଧାର୍ଥ ସ୍ଵାଇଁ ଓ ଦେବୀପ୍ରସାଦ ଲେଙ୍କା ଯେଉଁମାନେ ବିଜୁ ଛାତ୍ର ଜନତା ଦଳର ଉପସଭାପତି ଥିବା ସହ ଗତକାଲି ଦଳରୁ ନିଲମ୍ବିତ ହୋଇଥିଲେ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପ୍ରତାପ ଜେନାଙ୍କ କହିବା ଅନୁସାରେ, ସେ ମାହାଙ୍ଗାରେ ଥିବା ସମୟରେ ପ୍ରାୟ ୧୫ରୁ ୨୦ ଜଣ ଯୁବକ ତାଙ୍କ ଘର ଆଗକୁ ଆସି ହୋହଲ୍ଲା କରିଥିଲେ। ସେମାନେ ଗାଳିଗୁଲଜ କରିବା ସହ ଘର ପରିସରରେ ଅଶାନ୍ତି ସୃଷ୍ଟି କରିଥିବା ଅଭିଯୋଗ ରହିଛି। ଏହି ସମୟରେ ସିକ୍ୟୁରିଟି ଗାର୍ଡକୁ ଆକ୍ରମଣ କରାଯାଇଥିବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଯାଇଥିବା କଥା ପ୍ରତାପ ଜେନା ଦାବି କରିଛନ୍ତି। ଘଟଣା ସମୟରେ କିଛି ଲୋକ କ୍ୟାମ୍ପସ୍‌ ଭିତରକୁ ପ୍ରବେଶ କରିଥିବା ଏବଂ ସମସ୍ତ ଘଟଣା ଭିଡିଓରେ ଧରାପଡ଼ିଥିବା ସେ କହିଛନ୍ତି।

ଅନ୍ୟପଟେ, ନିଲମ୍ବିତ ଯୁବ ଓ ଛାତ୍ର ବିଜେଡି ନେତାମାନେ ଘର ଆଗରେ ବାଣ ଫୁଟାଇବା ସହ ମିଠା ବଣ୍ଟନ କରିଥିବା ସୂଚନା ମିଳିଛି। ଘରେ ଥିବା ଲୋକମାନେ ବିରୋଧ କରିବାରୁ ସେମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ମଧ୍ୟ ଆସିଛି। ପରେ ପ୍ରତାପ ଜେନା ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ସୁରକ୍ଷା ଦାବି କରିଥିବା ସହ କମିଶନରେଟ୍ ପୋଲିସ ଓ ଡିଜିପିଙ୍କୁ ମଧ୍ୟ ଏହା ସମ୍ବନ୍ଧରେ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ପକ୍ଷରୁ ୧୦ ଜଣ ଯୁବ ଓ ଛାତ୍ର ନେତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ, ଏହି ଘଟଣାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ୁଥିବା ଚର୍ଚ୍ଚା ହେଉଛି।