ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ ଚାରିଟି ଆସନ ପାଇଁ ହୋଇଥିବା ଭୋଟିଂରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ମନମୋହନ ସାମଲ୍ ଓ ସୁଜିତ୍ କୁମାର୍, ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ । ପ୍ରଥମ ପସନ୍ଦ ଭୋଟର ଫଳାଫଳ ଅନୁସାରେ ମନମୋହନ ସାମଲ ଓ ସୁଜିତ କୁମାର ପ୍ରତ୍ୟେକେ ୩୫ଟି କରି ଭୋଟ ପାଇଥିବାବେଳେ ସନ୍ତୃପ୍ତ ମିଶ୍ର ୩୧ଟି ଭୋଟ ହାସଲ କରିଥିଲେ। ଅନ୍ୟପଟେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ଵର ହୋତା ୨୩ଟି ପ୍ରଥମ ପସନ୍ଦ ଭୋଟ ପାଇଥିଲେ। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ମଧ୍ୟ ୨୩ଟି ଭୋଟ ମିଳିଥିଲା।
ତେବେ ଦ୍ୱିତୀୟ ପସନ୍ଦ ଭୋଟ ଗଣନାରେ ଦିଲୀପ ରାୟ ଆଗକୁ ବଢ଼ି ବିଜୟୀ ହୋଇଥିଲେ ଏବଂ ରାଜ୍ୟସଭାର ଏକ ଆସନ ନିଜ ନାମରେ କରିନେଇଥିଲେ। ଏହି ନିର୍ବାଚନରେ ଦିଲୀପ ରାୟ ଓ ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା। ଦତ୍ତେଶ୍ୱରଙ୍କୁ ଜିତାଇବା ପାଇଁ ବିଜେଡି ଓ କଂଗ୍ରେସ ଜୋରଦାର ଚେଷ୍ଟା କରୁଥିବାବେଳେ ଦିଲୀପ ରାୟଙ୍କୁ ସମର୍ଥନ କରିବା ପାଇଁ ବିଜେପି ମଧ୍ୟ ରଣନୀତି ତିଆରି କରିଥିଲା। କିନ୍ତୁ ଶେଷରେ କ୍ରସ୍ ଭୋଟିଂ ନିର୍ବାଚନର ସମୀକରଣକୁ ବଦଳାଇଦେଇଥିଲା। ସୂଚନା ଅନୁସାରେ କଂଗ୍ରେସର ୩ଜଣ ଓ ବିଜେଡିର ୮ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ। ଏହି ୧୧ଜଣ ବିଧାୟକଙ୍କ କ୍ରସ୍ ଭୋଟିଂ ଫଳରେ ଦିଲୀପ ରାୟ ଶେଷରେ ରାଜ୍ୟସଭା ଆସନ ଜିତିବାରେ ସଫଳ ହୋଇଥିଲେ।