ଭୁବନେଶ୍ୱର: ରାଜଧାନୀରେ ପୁଣିଥରେ ସାଇବର ଠକେଇର ବଡ଼ ରାକେଟ ଫାସ୍ ହୋଇଛି। ପଟିଆ ଅଞ୍ଚଳରେ ଆଡ୍ଡା ଜମାଇଥିବା ସାଇବର ଠକମାନଙ୍କୁ ନେଇ ସ୍ପେଶାଲ ସ୍କ୍ୱାଡ୍ ଚଢ଼ାଉ କରିଥିଲା। ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ହଷ୍ଟେଲରୁ ୧୨ଟି ସିମ୍ ବକ୍ସ ଜବତ ହୋଇଛି। ଏହି ଘଟଣାରେ କେରଳର ୨ ଯୁବକଙ୍କୁ ଅଟକ ରଖାଯାଇଛି। ଘଟଣାସ୍ଥଳରୁ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଓ ସନ୍ଦିଗ୍ଧ ମେସିନ ମଧ୍ୟ ଜବତ କରାଯାଇଛି। ପୂର୍ବରୁ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରୁ ମଧ୍ୟ ସିମ୍ ବକ୍ସ ରାକେଟ ଧରାପଡିଥିଲା। ତଦନ୍ତରୁ ଜଣାପଡିଛି ଯେ ଭଡାଘରେ ରହି ବାହାର ଦେଶର ଲୋକଙ୍କୁ ଠକିବା ପାଇଁ ଏହି ରାକେଟ ଚାଲୁଥିଲା।
ସୂଚନା ଅନୁଯାୟୀ, ଏହି ଚକ୍ରର ଚେର ଚୀନ ପର୍ଯ୍ୟନ୍ତ ଲମ୍ବିଥିବା ସନ୍ଦେହ କରାଯାଉଛି। ଚାଇନାର ହାର୍ଡୱେର ଓ ବାଂଲାଦେଶୀ ଆପ୍ଲିକେସନ ବ୍ୟବହାର କରି ଠକେଇ କରାଯାଉଥିଲା। ସେଥିପାଇଁ ଆସାମର ବେନାମୀ ସିମ୍ କାର୍ଡ ବ୍ୟବହାର ହେଉଥିବା ମଧ୍ୟ ଜଣାପଡିଛି। ଇଣ୍ଟରନ୍ୟାସନାଲ କଲ୍କୁ ଡାଇଭର୍ଟ କରି ନୂଆ ପ୍ରଣାଳୀରେ ସାଇବର ଠକେଇ କରୁଥିବା ଅଭିଯୋଗ ରହିଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଅଟକ ଦୁଇ ଯୁବକଙ୍କୁ ପଚରାଉଚରା ଚାଲିଥିବା ସୂଚନା ଦେଇଛି କମିଶନରେଟ୍ ପୋଲିସ୍ । ରାଜଧାନୀରେ ପୁଣିଥରେ ସିମ୍ ବକ୍ସ ଠାବ ହେଉଥିବାରୁ ସାଇବର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ତଦନ୍ତ ଜାରି ରହିଛି।