ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆମ୍ ଆଦମୀ ପାର୍ଟିର ମୁଖ୍ୟ Arvind Kejriwalଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ଦିଲ୍ଲୀର Rouse Avenue Court ପୂର୍ବତନ ଉପମୁଖ୍ୟମନ୍ତ୍ରୀ Manish Sisodia ସହିତ ସମସ୍ତ ୨୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଦାଲତ ଶୁଣାଣି ସମୟରେ କହିଥିଲେ ଯେ ମାମଲାରେ ବ୍ୟାପକ ଷଡ଼ଯନ୍ତ୍ର କିମ୍ବା ଅପରାଧିକ କାର୍ଯ୍ୟର ପ୍ରମାଣ ସ୍ପଷ୍ଟ ଭାବେ ପ୍ରତିପାଦିତ ହୋଇନାହିଁ। Central Bureau of Investigation ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ କୋର୍ଟରେ ଦୁର୍ବଳ ସାବ୍ୟସ୍ତ ହୋଇଥିବା ଓ ପ୍ରମାଣ ଅଭାବ ଥିବା କଥା ବିଚାରପତି ଉଲ୍ଲେଖ କରିଥିଲେ। ଏହା ପରେ କୋର୍ଟ ମାମଲାକୁ ଖାରଜ କରି ସମସ୍ତଙ୍କୁ ଦୋଷମୁକ୍ତ ଘୋଷଣା କରିଛନ୍ତି।

ରାୟ ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇ କେଜ୍ରିୱାଲ ଭାବୁକ ହୋଇପଡ଼ିଥିଲେ। ସେ କହିଥିଲେ, “ମୁଁ ଦୁର୍ନୀତି କରିନାହିଁ। ମୁଁ ସଚ୍ଚୋଟତାର ସହିତ କାମ କରିଛି।” ସେହି ସମୟରେ ମନୀଷ ସିସୋଦିଆ ତାଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଦେଇଥିଲେ। କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ମିଥ୍ୟା ମାମଲା ରଚାଯାଇଥିଲା ଏବଂ ସତ୍ୟର ବିଜୟ ହୋଇଛି। ସେ ଏହା ମଧ୍ୟ କହିଥିଲେ ଯେ ଦଳକୁ ଦୁର୍ବଳ କରିବା ପାଇଁ ଶୀର୍ଷ ନେତାମାନଙ୍କୁ ଜେଲକୁ ପଠାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ସେ କହିଥିଲେ ଯେ ଗାଦି ପାଇଁ ସମ୍ବିଧାନ ସହିତ ଖେଳ କରିବା ଉଚିତ୍ ନୁହେଁ। ଏହି ରାୟ ପରେ ଦିଲ୍ଲୀର ରାଜନୀତିକ ପରିବେଶ ପୁନର୍ବାର ଗରମ ହୋଇଉଠିଛି।