କଲେଜ୍ କ୍ଲାସରୁମରେ ଗୁଳିକାଣ୍ଡ: ଛାତ୍ରୀଙ୍କୁ ଗୁଳି କରି ହତ୍ୟା, ପରେ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ପଞ୍ଜାବର ତରନତାରନ ଜିଲ୍ଲାରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି। ଆଇନ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କର ଜଣେ କ୍ଲାସମେଟ୍ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁଳି ଲାଗି ଛାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଘଟଣା ପରେ ଅଭିଯୁକ୍ତ ଛାତ୍ର ନିଜକୁ ମଧ୍ୟ ଗୁଳି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ମୃତ ଛାତ୍ରୀଙ୍କ ନାମ ସନ୍ଦୀପ କୌର ଓ ଅଭିଯୁକ୍ତ ଛାତ୍ରଙ୍କ ନାମ ପ୍ରିନ୍ସ ରାଜ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ସୋମବାର କଲେଜ୍ କ୍ଲାସରୁମରେ ସାଧାରଣ ଭାବେ ପାଠପଢା ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, କ୍ଲାସ ଚାଲିଥିବା ବେଳେ ପ୍ରିନ୍ସ ରାଜ ହଠାତ୍ ଶ୍ରେଣୀଗୃହରେ ପ୍ରବେଶ କରି ନିଜ ବ୍ୟାଗରୁ ଏକ ପିସ୍ତଲ ବାହାର କରିଥିଲେ। ଏହା ପରେ ସେ ନିକଟରୁ ସନ୍ଦୀପ କୌରଙ୍କୁ ଗୁଳି କରିଥିଲେ। ହଠାତ୍ ଗୁଳି ଚଳାଇବା ଫଳରେ ସମ୍ପୂର୍ଣ୍ଣ କ୍ଲାସରୁମରେ ଆତଙ୍କ ଖେଳିଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ପିସ୍ତଲକୁ ପୁଣି ଲୋଡ୍ କରି ନିଜ ମୁଣ୍ଡରେ ଗୁଳି ଚଳାଇଥିଲେ। ଘଟଣାସ୍ଥଳରୁ ପୋଲିସ ଏକ .୩୨ କ୍ୟାଲିବର ପିସ୍ତଲ ଉଦ୍ଧାର କରିଛି। ସ୍ଥାନୀୟ ଲୋକ ଏବଂ ଛାତ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ସନ୍ଦୀପ କୌରଙ୍କ ବିବାହ ସ୍ଥିର ହୋଇଥିବାକୁ ନେଇ ପ୍ରିନ୍ସ ରାଜ ରାଗି ଯାଇଥିଲେ। ପରିବାର ଅନୁଯାୟୀ, ସନ୍ଦୀପଙ୍କୁ ଦୀର୍ଘ ଦିନ ଧରି ମାନସିକ ଭାବରେ ହଇରାଣ କରାଯାଉଥିଲା। ଅଭିଯୁକ୍ତ ଛାତ୍ର ଦୁଇ-ତିନିଥର ତାଙ୍କ ଘରକୁ ମଧ୍ୟ ଆସିଥିବା ଅଭିଯୋଗ ରହିଛି। ମୃତ ଛାତ୍ରୀଙ୍କ ଭଉଣୀ ମନପ୍ରୀତ କୌର କହିଛନ୍ତି ଯେ ପ୍ରିନ୍ସ ରାଜ ଅନେକ ଦିନ ଧରି ସନ୍ଦୀପଙ୍କୁ ପିଛା କରୁଥିଲେ ଏବଂ ନିରନ୍ତର ହଇରାଣ କରୁଥିଲେ। ତାଙ୍କ କହିବା ଅନୁସାରେ, ଶୁକ୍ରବାର ପ୍ରିନ୍ସ ସନ୍ଦୀପଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସନ୍ଦୀପ ଏହାକୁ ସିଧାସଳଖ ଅସ୍ୱୀକାର କରିଥିଲେ। ସେ କହିଥିଲେ ଯେ ତାଙ୍କ ନିର୍ବନ୍ଧ ହୋଇସାରିଛି।

ମନପ୍ରୀତଙ୍କ ଅଭିଯୋଗ ଅନୁସାରେ, ଏହା ପରେ ପ୍ରିନ୍ସ ଧମକ ଦେଇଥିଲେ—“ଯଦି ତୁମେ ମୋର ନୁହଁ, ତେବେ ମୁଁ ତୁମକୁ ଅନ୍ୟ କାହାର ହେବାକୁ ଦେବି ନାହିଁ।” ଶନିବାର ଓ ରବିବାର ଛୁଟି ନେଇଥିବା ପ୍ରିନ୍ସ ସୋମବାର କଲେଜକୁ ଫେରି ଏହି ଭୟାବହ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ପ୍ରିନ୍ସ ରାଜଙ୍କ ବାପା ଭାରତୀୟ ସେନାରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି। ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇ ଛାତ୍ରଙ୍କ ମଧ୍ୟରେ ବିବାଦର ପ୍ରକୃତ କାରଣ ଏବଂ ଅଭିଯୁକ୍ତ କାହିଁକି ଏପରି ଚରମ ପଦକ୍ଷେପ ନେଲେ, ସେଥିପାଇଁ ପୋଲିସ ଗଭୀର ତଦନ୍ତ କରୁଛି।