ଟସ ଜିତିଲା ଭାରତ, ବୋଲିଂ କରିବାକୁ ନେଲା ନିଷ୍ପତ୍ତି

Andhra Pradesh: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଚତୁର୍ଥ ମ୍ୟାଚ୍ ଆଜି ବିଶାଖାପାଟଣାର ACA–VDCA କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଲଗାତାର ତିନୋଟି ମ୍ୟାଚ୍ ଜିତି ପୂର୍ବରୁ ହିଁ ସିରିଜ ନିଜ ନାମରେ କରିସାରିଛି। ତଥାପି ଆଜିର ମ୍ୟାଚ୍‌ରେ ଭାରତ ଜୟର ଧାରା ଜାରି ରଖିବାକୁ ଚେଷ୍ଟା କରିବ।

ସମସ୍ତଙ୍କ ନଜର ସଞ୍ଜୁ ସାମସନଙ୍କ ଉପରେ ରହିଛି। ପ୍ରଥମ ତିନୋଟି ମ୍ୟାଚ୍‌ରେ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିନଥିବା ସଞ୍ଜୁଙ୍କ ପାଇଁ ଏହି ମ୍ୟାଚ୍ ‘କର ବା ମର’ ଭଳି ହୋଇପାରେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିଥିବା ବେଳେ, ତୃତୀୟ ଟି-ଟ୍ୱେଣ୍ଟିରେ ୧୪ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ଯୁବ ଓପନର ଅଭିଷେକ ଶର୍ମା ଆଜି ମଧ୍ୟ ଏକ ବିସ୍ଫୋରକ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି। ଦଳ ଚୟନରେ ପରିବର୍ତ୍ତନ କରାଯାଇ ଇଶାନ କିଷାନଙ୍କୁ ବାଦ ଦିଆଯାଇଛି ଓ ତାଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ସୁଯୋଗ ମିଳିଛି। ଅନ୍ୟପଟେ, ନ୍ୟୁଜିଲ୍ୟାଣ୍ଡ ଦଳ ପୂର୍ବ ମ୍ୟାଚ୍‌ର ହାରର ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇଛି। ଗତ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଆଗରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୫୩ ରନ କରିପାରିଥିଲା ଏବଂ ଭାରତ ୧୦ ଓଭରରେ ମ୍ୟାଚ୍ ସମାପ୍ତ କରି ସହଜ ବିଜୟ ହାସଲ କରିଥିଲା।