ବିଜ୍ଞାପନ ପରେ ଚିଟଫଣ୍ଡ ଜମାକାରୀଙ୍କ ବଢିଲା ଆଶା

ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ଖୁସିଖବର । ଅର୍ଥ ବିଭାଗର ବିଜ୍ଞାପନ ପରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଏବେ ଚିଟଫଣ୍ଡ ଟଙ୍କା ଫେରାଇବେ ସରକାର । କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଅଗ୍ରାଧିକାର ଭାବେ ଟଙ୍କା ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞାପନ ପ୍ରକାଶ କରିଛି ଅର୍ଥ ବିଭାଗ । ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଯେଉଁ ମାନଙ୍କର ଜମାରାଶି ୧୦ ହଜାର ପର୍ୟ୍ୟନ୍ତ ରହିଛି ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ବିଜ୍ଞାପନରେ କୁହାଯାଇଛି । ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର କ୍ଷତିଗ୍ରସ୍ତ ଜମାକାରୀ ୮ ହଜାର ଟଙ୍କା ପର୍ୟ୍ୟନ୍ତ ଟଙ୍କା ଜମା ରଖିଥିଲେ ଫରସ୍ତ ପାଇବେ। ସମସ୍ତ ଜିଲ୍ଲାର ସରକାରୀ ୱେବସାଇଟରେ ଫେରସ୍ତ ପାଇ ନଥିବା ଜମାକାରୀ ମାନଙ୍କର ସମ୍ପୂର୍ଣ ତାଲିକା ଉପଲବ୍ଧ ରହିଛି । ଦ୍ବନ୍ଦ୍ୱରେ ଥିବା ଆବେଦନକାରୀ ସେମାନଙ୍କ ଆବେଦନର ଷ୍ଟାଟସ୍ ଯାଞ୍ଚ କରିପାରିବେ।

ଜମାକାରୀମାନେ ପରିଚୟ ପତ୍ର, ମୂଳ ଜମା ରସିଦ ଏବଂ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ସହିତ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କ ପାଖରେ ଯୋଗାଯୋଗ କଲେ ୧୫ ଦିନ ମଧ୍ୟରେ ଜମା ଟଙ୍କା ଫେରି ପାଇପାରିବେ । ବିଜ୍ଞାପନ ପରେ ଜମାକାରୀଙ୍କ ମନରେ ଜାଗିଛି ଆଶା । ତେବେ କେବଳ କ୍ଷୁଦ୍ର ଜମାକାରୀ ନୁହେଁ ସବୁ ଜମାକାରୀଙ୍କ ଟଙ୍କା ଫେରସ୍ତ ଦିଗରେ ସରକାର ଶୀଘ୍ର ପଦକ୍ଷେପ ନନେଲେ ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ଦେଇଛି ଜମାକାରୀ ମିଳିତ ମଞ୍ଚ । ଗତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ଉତ୍ତର ଅନୁସାରେ ଗତ ୧୪ ମାସ ମଧ୍ୟରେ ୪୯ କୋଟି ୬୭ ଲକ୍ଷ ୬୮ ହଜାର ୫୪୮ ଟଙ୍କା ଫେରସ୍ତ କରିଛନ୍ତି ରାଜ୍ୟ ସରକାର । ୧ ଲକ୍ଷ ୩୩ ହଜାର ୭୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଏହି ଟଙ୍କା ଫେରସ୍ତ ହୋଇଛି । ପୂର୍ବ ସରକାର ସମୟରେ କ୍ଷୁଦ୍ର ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ୩୦୦ କୋଟି ଟଙ୍କାର ଏକ କର୍ପସ୍‌ ପାଣ୍ଠି ଗଠନ କରାଯାଇଥିଲା । ଏଥିରୁ ୯୬ ହଜାର ୮୦୧ ଜଣ କ୍ଷୁଦ୍ର ଜମାକାରୀକୁ ୪୬ କୋଟି ଟଙ୍କା କର୍ପସ ପାଣ୍ଠିରୁ ଫେରସ୍ତ କରାଯାଇଥିଲା। ଅର୍ଥନୈତିକ ଅପରାଧ ଶାଖାର ତଥ୍ୟ କହୁଛି ରାଜ୍ୟରେ ୨୪ ଲକ୍ଷ ୭୫ ହଜାର ଜମାକାରୀଙ୍କ ୬୮୬୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ଚିଟଫଣ୍ଡ ସଂସ୍ଥା ।