ଗୁଣୁପୁର: ଗୁଣପୁର ସହରରେ ୬ଟି ବେଆଇନ କ୍ଲିନିକ୍ ସିଲ୍ କଲା ଜିଲ୍ଲା ପ୍ରଶାସନ । ବିନା ପଞ୍ଜୀକରଣ ସାର୍ଟିଫିକେଟରେ କ୍ଲିନିକ୍ ଚାଲୁଥିବା ଅଭିଯୋଗ ପରେ ସିଲ୍ । ଅଭିଯୋଗ ପରେ କାଲି ଉପଜିଲ୍ଲାପାଳଙ୍କ ଦ୍ୱାରା କ୍ଲିନିକ୍ରେ ରେଡ୍ ହୋଇଥିଲା ।

ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ ଗୁରୁବାର ଅଚାନକ ଚଢାଉ କରି ବିଭିନ୍ନ କ୍ଲିନିକ୍ଗୁଡିକୁ ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ। ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଏକ ଟିମ୍ ବେଆଇନ କ୍ଲିନିକଗୁଡିକୁ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ସହ ୬ଟି କ୍ଲିନିକକୁ ସିଲ କରିଛନ୍ତି। ମାଜିଷ୍ଟ୍ରେଟ ଭାବେ ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏମ୍ ଏମ୍ ମେଡିକସ, ଆମ୍ମା କ୍ଲିନିକ, ଅମୂଲ୍ୟ ଭାରତ, ରାଧିକା, ଜଶେଫ ଶବର, ଅନନ୍ତ ଦାସ ପ୍ରମୁଖ କ୍ଲିନିକ ଓ ପାଥୋଲ୍ୟାବର କାଗଜପତ୍ର ତନଖି କରିବା ସମୟରେ ବହୁ ଅସଙ୍ଗତି ନଜରକୁ ଆସିବା ପରେ ସେଗୁଡିକୁ ସିଲ୍ କରିଦିଆଯାଇଛି ।