ରୁଚି ମସଲାର ପ୍ରତିଷ୍ଠାତା ଡ. ଶରତ କୁମାର ସାହୁଙ୍କ ପରଲୋକ

ଓଡ଼ିଶାର ପ୍ରତିଷ୍ଠିତ ବ୍ୟବସାୟୀ ରୁଚି ମସଲାର ପ୍ରତିଷ୍ଠାତା ଡ. ଶରତ କୁମାର ସାହୁଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ମୁମ୍ବାଇର ଲୀଳାବତି ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ଶରତ ସାହୁଙ୍କ ଦେହାନ୍ତ ହୋଇଛି ।  ଓଡ଼ିଶାର କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗକୁ ଆଗେଇ ନେବାରେ ଶରତ ସାହୁଙ୍କର ଥିଲା ବଡ଼ ଭୂମିକା । ୧୯୭୬ ମସିହାରେ ଶରତ ଓମ୍ ଅଏଲ୍ ଆଣ୍ଡ ଫ୍ଲୋର୍ ମିଲ୍ସ ନାଁର କଟକର ଏକ ଭଡ଼ା ଘରୁ ଆରମ୍ଭ କରିଥିଲେ ବ୍ୟବସାୟ । ଗହମ ଅଟାରୁ ଆରମ୍ଭ ହୋଇଥିଲା ରୁଚି ମସଲାର ଯାତ୍ରା ।

ଶରତଙ୍କୁ ୨୬ ବର୍ଷ ବୟସ ହୋଇଥିବା ବେଳେ ୧୯୭୬ରେ ସେ ମସଲା ବ୍ୟବସାୟରେ ପାଦ ଥାପିଥିଲେ । ଏବେ କଟକର ମଧୁପାଟଣାରେ ଥିବା ରୁଚିର ମୁଖ୍ୟାଳୟକୁ ସେତେବେଳେ ମାସିକ ୪୫୦ ଟଙ୍କା ଭଡ଼ାରେ ନେଇଥିଲେ ଶରତ । ପ୍ରଥମେ ମାତ୍ର ୫ ହଜାର ଟଙ୍କା ନିବେଶରେ ଆରମ୍ଭ କରିଥିଲେ ବ୍ୟବସାୟ । ବିଭିନ୍ନ ପ୍ରକାର ମସଲା ସହ ରୁଚି ଏବେ ପାସ୍ତା, ନୁଡଲ୍ସ ସହ ବିଭିନ୍ନ ରେଡି-ଟୁ-ଇଟ୍ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛି । ବେଷ୍ଟ ଫୁଡ୍ ପ୍ରୋସେସିଂ ୟୁନିଟ୍ ଆୱାର୍ଡ ୨୦୧୧ରେ ରୁଚି ମସଲାକୁ ମିଳିଥିଲା । ଏହାବାଦ ରୁଚିକୁ ଏକାଧିକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି ।