ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା, ଗୋପାଳପୁର ନିକଟରୁ ସ୍ଥଳ ଭାଗ ଅତିକ୍ରମ କରିବ ଗଭୀର ଅବପାତ

ଭୂବନେଶ୍ଵର: ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଛି ଅବପାତ । ପାରାଦୀପ-ଗୋପାଳପୁର ମଧ୍ୟ ଦେଇ ଆନ୍ଧ୍ର ଉପକୂଳକୁ ଅତିକ୍ରମ କରିବ । ଆଜି ମଧ୍ୟରାତ୍ର କିମ୍ୱା ଆସନ୍ତାକାଲି ସକାଳୁ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଭୁବନେଶ୍ୱର ଓ କଟକ ସମେତ ଉପକୂଳ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପବନ ସହ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଗୋପାଳପୁର ନିକଟରୁ ସ୍ଥଳ ଭାଗ ଅତିକ୍ରମ କରିବ ଗଭୀର ଅବପାତ । ଉତ୍ତରପଶ୍ଚିମ ଦିଗରେ ଗତିକରି ଆଜି ସନ୍ଧ୍ୟା ସୁଦ୍ଧା ଅତିକ୍ରମ କରିବ । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ଆଜି ଓ ଆସନ୍ତାକାଲି ପାଇଁ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯଅଇଛି । ପୁରୀ, ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଉ ୧୬ ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ୍‌ ୱାର୍ଣ୍ଣିଂ ।

ଅକ୍ଟୋବର ୪ ତାରିଖ ପାଇଁ ନବରଙ୍ଗପୁର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର । ଏହି ୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ଢେଙ୍କାନାଳ, ମାଲକାନଗିରି, ଅନୁଗୁଳ, କୋରାପୁଟ, ରାୟଗଡ଼ା, ବୌଦ୍ଧ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କଟକ  ଭଳି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।