୮ ଶହ ଏକରରେ ନୂଆ ଭୁବନେଶ୍ବର ପାଇଁ ପ୍ରସ୍ତୁତ ହେବ ଡିପିଆର: ମନ୍ତ୍ରୀ

ଭୁବନେଶ୍ଵର: ୮ ଶହ ଏକରରେ ନୂଆ ଭୁବନେଶ୍ବର ପାଇଁ ପ୍ରସ୍ତୁତ ହେବ ଡିପିଆର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ନୂଆ ସହର ରୂପରେଖ ପାଇଁ ସିଙ୍ଗାପୁରର ଏକ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି । ସମସ୍ତ ସୁବିଧା କିପରି ରହିପାରିବ ସେନେଇ ଡିପିଆର ପ୍ରସ୍ତୁତ ହେବ । ଚିହ୍ନଟ ହୋଇଥିବା ଜାଗାରେ କିଛି ଜଙ୍ଗଲ ଜମି ଓ ପ୍ରାଇଭେଟ୍ ଜମି ରହିଛି । ଜଙ୍ଗଲ ଜମିରେ ଆବଶ୍ୟକ ହେଲେ ପାର୍କ କିମ୍ବା ସେଭଳି ଜିନିଷ କରାଯିବ । ମେଟ୍ରୋ ମଧ୍ୟ ନୂଆ ସହରକୁ ଛୁଇଁବାକୁ ଯୋଜନା କରାଯାଉଛି । ସେହିପରି ପୁରୁଣା ଭୁବନେଶ୍ବର ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି । ଆଉଟର ରିଙ୍ଗ ରୋଡ ଏବଂ ସେଣ୍ଟ୍ରାଲ ରିଙ୍ଗ ରୋଡ ପରେ ସହର ଭିଡ଼ କମିବ । ସହରକୁ ସଜାଡିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର ।

ମନ୍ତ୍ରୀ କହିଛନ୍ତି ସିଙ୍ଗାପୁର ସରକାର ଉକ୍ତ ଟାଉନସିପର ଡ୍ରଇଂ ଡିଜାଇନ୍ ଏବଂ ଲେଆଉଟ୍ ପ୍ରସ୍ତୁତ କରୁଛନ୍ତି । ଏହା ଗୁଜରାଟର ଧୋଲେରା ସ୍ମାର୍ଟ ସିଟି ଶୈଳୀରେ ତିଆରି କରାଯିବ । ଆଗାମୀ ପ୍ରକଳ୍ପରେ ପାର୍କ, ହସ୍ପିଟାଲ, ଲୋକଙ୍କ ପାଇଁ ବାସଗୃହ, ଶିଳ୍ପ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।  ସିଙ୍ଗାପୁର ସରକାର ଏହାର ଡିପିଆର ପ୍ରସ୍ତୁତ କରୁଥିବା ବେଳେ, ଆବଶ୍ୟକୀୟ ପାଣ୍ଠି ଆବଣ୍ଟନ କରାଯାଇଛି। ଦୁଇ ମାସ ମଧ୍ୟରେ ଡିପିଆର ରାଜ୍ୟ ସରକାରଙ୍କୁ ଉପସ୍ଥାପିତ କରାଯିବ। ଭବିଷ୍ୟତକୁ ଆଖି ଆଗରେ ରଖି, BDA ଏହାର ପରିସରକୁ ବିସ୍ତାର କରୁଛି ଏବଂ ନୂତନ ସହର ପାଇଁ ପ୍ରସ୍ତୁତି କରୁଛି ବୋଲି ମନ୍ତ୍ରୀ କହିଛନ୍ତି । TP ଯୋଜନାରେ, BDA ସାଧାରଣ ଉପଯୋଗୀତା, ଜଳ ଯୋଗାଣ ଏବଂ ରାସ୍ତା ନିର୍ମାଣ ପାଇଁ ଲୋକଙ୍କୁ ସର୍ବାଧିକ ସ୍ଥାନ ଯୋଗାଇବା ପାଇଁ ବ୍ୟବସ୍ଥା କରୁଛି।