ଭୁବନେଶ୍ଵର: ଭଗବାନଙ୍କ ସୃଷ୍ଟିରେ ସବୁଠୁ ବିଶାଳକାୟ ଜୀବ ହେଉଛି ହାତୀ । ସେହି ହାତୀଙ୍କ ପାଇଁ ଆଜି ଦିନଟି । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ବ ହସ୍ତୀ ଦିବସ ଭାବେ ପାଳନ କରାଯାଏ । ହାତୀ-ମଣିଷର ଭଲ ବନ୍ଧୁତା କାଳ କାଳରୁ ରହିଆସିଛି । ରିଲ୍ ଲାଇଫ୍ ରୁ ରିଅଲ୍ ଲାଇଫ୍ ପର୍ଯ୍ୟନ୍ତ ଅନେକ ସ୍ଥାନର ଏହି ବନ୍ଧୁତାର ଭଲ ଉଦାହରଣ ଦେଖିବାକୁ ମିଳେ । କିନ୍ତୁ ଏବେ ସମୟ ବଦଳିଛି । ଭଲ ବନ୍ଧୁରୁ ଯେମିତି ବଇରି ପାଲଟିଛି ହାତୀ । ଅଧିକାଶଂ ସମୟ ହାତୀ-ମଣିଷ ଲଢେଇ ଖବର ସାମ୍ନାକୁ ଆସୁଛି । କେଉଁଠି ହାତୀ ହାରି ଯାଉଛି ତ କେଉଁଠି ମଣିଷ ।

୨୦୧୨ ମସିହାରୁ ପାଳନ କରାଯାଉଛି ବିଶ୍ଵ ହସ୍ତି ଦିବସ । ୨୦୧୨ ଅଗଷ୍ଟ ୧୨ ତାରିଖରେ କାନାଡାର ପାଟ୍ରିସିଆ ସିମ୍ସ ଓ ଥାଇଲାଣ୍ଡର ଏଲିଫାଣ୍ଟ୍ ରିଇଣ୍ଟ୍ରଡକ୍ସନ୍ ଫାଉଣ୍ଡେସନର ମିଳିତ ଉଦ୍ୟମରେ ପ୍ରଥମ ଥର ପାଇଁ ହସ୍ତୀ ଦିବସ ପାଳନର ପରିକଳ୍ପନା କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣରେ ଜନସଚେତନା ସୃଷ୍ଟି କରିବା । ହାତୀମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ସହ ହାତୀ ଶିକାର ଉପରେ ରୋକ୍ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯିବା । ଏହି ଦିବସ ପାଳନ ଏଭଳି ଏକ ମଞ୍ଚ ଯେଉଁଠି ସଂଗଠନ ଓ ବ୍ୟକ୍ତିବିଶେଷ ଏକାଠି ହୋଇ ହାତୀକୁ କ୍ଷତି ପହଞ୍ଚାଉଥିବା ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିପାରିବେ। ଭବିଷ୍ୟତ ପିଢ଼ି ପାଇଁ ଏହି ଚମତ୍କାର ପ୍ରାଣୀମାନଙ୍କୁ ସୁରକ୍ଷିତ ରଖିବାର ମହତ୍ତ୍ବକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ କଲ୍ୟାଣ ଓ ବଞ୍ଚିବାରେ ସହାୟକ ହେଉଥିବା କାର୍ଯ୍ୟକୁ ଉତ୍ସାହିତ କରିବା ହେଉଛି ହସ୍ତୀ ଦିବସ ପାଳନର ଲକ୍ଷ୍ୟ।

ତେବେ ୨୦୨୪ ହାତୀ ଗଣନା ଅନୁଯାୟୀ ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବନ ଡିଭିଜନରେ ୨,୦୯୮ ହାତୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧,୦୩୦ଟି ମାଈ, ୪୭୪ଟି ପୁରୁଷ ଓ ୫୯୪ଟି ଛୁଆ ହାତୀ ରହିଛନ୍ତି।ଏସୀୟ ପ୍ରକୃତିକ ସଂରକ୍ଷଣ ଫାଉଣ୍ଡେସନ୍(ଏଏନ୍ସିଏଫ୍) ଦ୍ବାରା ହୋଇଥିବା ଅଧ୍ୟୟନ ଅନୁଯାୟୀ ଓଡ଼ିଶା ଭୂଖଣ୍ଡରେ ୧୭୦୦ରୁ ୧୮୦୦ ହାତୀ ରହିପାରିବେ। ମାତ୍ର ହାତୀ ଗଣନା ରିପୋର୍ଟ ଅନୁସାରେ ଏବେ ଓଡିଶାରେ ୨୦୯୮ଟି ହାତୀ ଅଛନ୍ତି । ଅର୍ଥାତ୍ ଅନୁମାନ ଠାରୁ ଅଧିକ ହାତୀଙ୍କ ବାସସ୍ଥାନ ପାଲଟିଛି ଓଡିଶା । ୭ ବର୍ଷରେ ୧୨୨ ହାତୀଙ୍କ ସଂଖ୍ୟା ବଢ଼ିଛି । ଏପଟେ ୨୦୧୭ ମସିହାରେ ରାଜ୍ୟରେ ହାତୀ ସଂଖ୍ୟା ୧୯୭୬ ଟି ହାତୀ ଥିଲେ ବୋଲି କହିଛି ବନ ବିଭାଗ । ୨୦୧୭ରେ କେନ୍ଦ୍ର ସରକାର ଶେଷ ଥର ପାଇଁ ହାତୀ ଗଣନା କାର୍ଯ୍ୟକ୍ରମ କରିଥିଲେ । ସେତେବେଳେ ରାଜ୍ୟରେ ହାତୀ ସଂଖ୍ୟ ଥିଲା ୧ ହଜାର ୯୭୬ । କିନ୍ତୁ ପରେ ଆଉ କେନ୍ଦ୍ର ପକ୍ଷରୁ ରାଜ୍ୟରେ ଗଣନା ନହେବାରୁ ରାଜ୍ୟ ସରକାର ୨୦୨୪ ରେ ହାତୀ ଗଣନା କରିଥିଲେ । ଗତ ଜୁନରେ ହାତୀ ଗଣନା ରିପୋର୍ଟ ଅନୁସାରେ ୩୮ଟି ଡିଭିଜନରେ ୨୦୦୦ରୁ ଅଧିକ ହାତୀ ଥିବା ଜଣାପଡିଛି ।