ଶ୍ରୀମନ୍ଦିରରେ ଭି.ଆଇ.ପି ଦର୍ଶନ କରାଇବେ କହି ଠକିନେଲେ

ପୁରୀ:- ଲୋକଙ୍କୁ ଠକିବା ପାଇଁ ଠକ ମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । ଠକମାନେ ଏବେ ଭକ୍ତଙ୍କ ଭାବାବେଗକୁ ନେଇ ଠକିବା ଆରମ୍ଭ କଲେଣି । ଠକମାନେ ଶ୍ରୀମନ୍ଦିର ଦର୍ଶନ ପାଇଁ ଅନଲାଇନ ସ୍ଲଟ୍ ବୁକିଂ କରୁଛନ୍ତି । ଭି.ଆଇ.ପି ଦର୍ଶନ ବୁକିଂ ନାଁରେ ଜଣକ ପିଛା ନେଉଛିନ୍ତି ଏକ ହଜାର ଟଙ୍କା । ବୁକିଂ କାନଫର୍ମ ହେଲେ ଆସୁଛି ମେଲ୍ । ଭି.ଆଇ.ପି ଦର୍ଶନ ପାଇଁ ରହିଛି ବେନିଫିଟ ଏବଂ ଦର୍ଶନ ପାଇଁ ପୂଜକ ସହାୟତା କରିବେ ବୋଲି ମେଲ୍ ରେ ଲେଖା ଯାଇଅଛି । ଦର୍ଶନ ପାଇଁ ଧାଡ଼ିରେ ଯିବାକୁ ପଡିବ ନାହିଁ ମହାପ୍ରଭୁଙ୍କ ପାଦ ପଦ୍ମରୁ ତୁଳସୀ ପତ୍ର ପ୍ରସାଦ ଓ ଚାଉଳ ପ୍ରସାଦ ପାଇ ପାରିବେ ବୋଲି ମଧ୍ୟ ଉଲ୍ଲେଖ କରାଯାଇଅଛି ।

ତେବେ କାମାକ୍ଷୀ ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତି ନିଜ ପରିବାର ପାଇଁ ଏହି ବୁକିଙ୍ଗ କରି ମେଲ ପାଇଥିଲେ । ୨୫ ତାରିଖରେ ବୁକିଂ କରିବା ପରେ ୨୭ ତାରିଖରେ କାନଫର୍ମ ମେଲ୍ ପାଇଥିଲେ ଯାହାର ଏକ କପି ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ତେବେ ଶ୍ରୀମନ୍ଦିରରେ ଏଭଳି କୌଣସି ବ୍ୟବସ୍ଥା ନଥିବା ବେଳେ ଏଭଳି ଚିତ୍ର କେମିତି ଆସିଲା,ତାହା ତଦନ୍ତ ସାପେକ୍ଷ । ସେପଟେ ଏହି ଘଟଣାକୁ ନେଇ ସିଂହଦ୍ଵାର ଥାନାକୁ ଅବଗତ କରାଯାଇଥିବା ବେଳେ ପୁରୀ ସାଇବର ଥାନାରେ ମାମଲା ରୁଜୁ ହୋଇଛି । କେଉଁ ସଂସ୍ଥା ଏହି ବିଜ୍ଞାପନ ଦେଇଛନ୍ତି ତାହା ଉପରେ ତଦନ୍ତ କରାଯାଉଛି । ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି କହିଛନ୍ତି ପୁରୀ ଜିଲ୍ଲା ଅତିରିକ୍ତ ଏସପି ।