ଉପକୂଳ ଜିଲ୍ଲାରେ ତାତି ସହ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର-: ରାଜ୍ୟରେ ପୁଣି ଉପର ମୁହାଁ ତାତି । ଉପକୂଳ ଜିଲ୍ଲାରେ ତାତି ସହ ଅସହ୍ୟ ଗୁଳୁଗୁଳି ହେଉଛି । ବର୍ତ୍ତମାନ ସୁଦ୍ଧା ୩୭ ଡିଗ୍ରି ଟପିସାରିଲାଣି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ।

ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତର ଆଡକୁ ଅଗ୍ରସର ହେଉଥିବା ବେଳେ ମେ ୨୯ ତାରିଖରୁ ଏଥିରେ ବିରାମ ଲାଗିଛି। ଫଳରେ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଗରମ ଏବଂ ଆର୍ଦ୍ରତା ଜାରି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ସୂଚନା ଦେଇଛି । ଜୁନ୍ ୨ ରୁ ୬ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଆକଳନ କରାଯାଇଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୭.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।