‘ଦୀଘା ଜଗନ୍ନାଥ ଧାମ’କୁ ନେଇ ବିବାଦ ତେଜିବା ପରେ ମୁହଁ ଖୋଲିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କଲକାତା-: ଦୀଘା ଜଗନ୍ନାଥ ଧାମ ନାଁ ବିବାଦ ନେଇ ଆଜି ମୁହଁ ଖୋଲିଛନ୍ତି ମମତା ବାନାର୍ଜୀ । ଦୀଘା ଜଗନ୍ନାଥ ଧାମକୁ ନେଇ ଏତେ ରାଗ କାହିଁକି ବୋଲି ପ୍ରଶ୍ନ କରି ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ।

‘ଦୀଘା ଜଗନ୍ନାଥ ଧାମ’କୁ ନେଇ ବିବାଦ ତେଜିବା ପରେ ମୁହଁ ଖୋଲିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଲେ ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉ । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ମାଆ କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି, ଶିବଙ୍କ ମନ୍ଦିର ବି ସବୁଠି ଅଛି । ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ, ସେଥିରେ କୌଣସି ଅସୁବିଧା ହେଉନାହିଁ । ହେଲେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଏତେ ଚର୍ଚ୍ଚା କାହିଁକି । ବିଜେପି ଯାହା କଲେ ଆମେ କିଛି ପ୍ରଶ୍ନ କରୁନୁ, ତାହାଲେ ତାଙ୍କର ଏତେ ରାଗ କଣ ପାଇଁ କହି ବିଜେପିକୁ  ଟାର୍ଗେଟ୍ କରିଛନ୍ତି ମମତା ।

ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପରଠାରୁ ବିବାଦ ତେଜିଛି । ଦୀଘାରେ ମନ୍ଦିର ନିର୍ମାଣ, ସେଠାରେ ଜଗନ୍ନାଥ ଧାମ ଲେଖାଯିବା ଏବଂ ନବକଳେବର ବଳକା ଦାରୁରେ ବିଗ୍ରହ ନିର୍ମାଣ ହେବାକୁ ନେଇ ଉପୁଜିଥିବା ବିବାଦ ଏବେ ଓଡ଼ିଶାରେ ଜୋର୍‌ ଧରିଛି । ଏହାକୁ ନେଇ ଚାରିଆଡ଼େ ଜଗନ୍ନାଥପ୍ରେମୀ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଆଉ ଆଜି ପୁରୀକୁ ବଙ୍ଗୀୟ ପର୍ଯ୍ଯଟକଙ୍କୁ ନଆସିବାକୁ ବାରଣ କରି ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ହାସଗ୍ୟାଗ୍ ବୟକଟ୍ ପୁରୀ ଟୁରିଜିମ୍ ବୋଲି ଟ୍ରେଣ୍ଡ କରୁଛି । ଯାହାକୁ ନେଇ ଓଡିଶା ପ୍ରତି ବଙ୍ଗଳାର ଷଡ଼ଯନ୍ତ୍ର ବୋଲି କୁହାଯାଉଛି ।