ପୁରୀ-: ଗ୍ରୀଷ୍ଣତାପରୁ ରକ୍ଷା ପାଇବା ପାଇଁ ମଣିଷ ଯେପରି ଗାଧୋଇ ଟିକିଏ ଥଣ୍ଡା ଅନୁଭବ କରେ, ସେହିପରି ଶ୍ରୀଜିଉ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀକୁ ଆସିଥାନ୍ତି ଚାପ ଖେଳିବା ପାଇଁ । ମଣି ବିମାନରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କୁ ନରେନ୍ଦ୍ର ପୁଷ୍କରିଣୀକୁ ଆଣିଥାନ୍ତି ସେବାୟତ । ରାମକୃଷ୍ଣଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ମଧ୍ୟ ବିଜେ କରନ୍ତି । ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀର ଚନ୍ଦନ ଚକଡ଼ା ଓ ମନ୍ଦିରକୁ ଆଲୋକ ମାଳାରେ ସଜା ଯାଇଛି । ଶ୍ରୀକ୍ଷେତ୍ରରେ ଏହି ବିଶେଷ ପର୍ବପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଭଗବାନଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଉଠିଛି ପୁରୀ ।
ଦୋଳରେ ଦୋଳ ଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ବାସ ରହିଛି ତେଣୁ ଏହି ଲୀଳା ଦର୍ଶନ କରିବାକୁ ଅପେକ୍ଷା କରି ରହିଥିଲେ ଭକ୍ତଗଣ । ୨୧ ଦିନିଆ ଯାତ୍ରାର ବୁଧବାର ଥିଲା ପ୍ରଥମ ଦିନ। କାହାଳି ବାଜିବା ପରେ ଘଣ୍ଟ, ଛତା ପଟୁଆରରେ ମହାପ୍ରଭୁ ସ୍ବତନ୍ତ୍ର ମଣି ବିମାନରେ ଶ୍ରୀମନ୍ଦିରରୁ ବାହାରି ନରେନ୍ଦ୍ର ପୁଷ୍କରିଣୀ ନିକଟରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲ ମାନବୀୟ ଲୀଳା ।
ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ। ଏହା ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ବା ସ୍ନାନପୂର୍ଣ୍ଣିମାର ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ ଦିନ ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି । ମହାପ୍ରଭୁ ଚନ୍ଦନ ପୁଷ୍ପରିଣୀକୁ ଯିବା ଏବଂ ପୁଷ୍କରିଣୀ ନିକଟରେ ଶାନ୍ତିଶୃଙ୍ଖଳା ପାଇଁ ସ୍ୱତନ୍ତ୍ର ଭାବେ ପୋଲିସ ମୁତୟନ ରହିବେ । ସେହିପରି ଭିଡ଼ର ସୁଯୋଗ ନେଇ ଲୁଟେରାମାନେ ଲୁଟ୍ପାଟ, ପକେଟ୍ମାର କରିବା ସମ୍ଭାବନା ରହିଛି । ଏଥିପ୍ରତି ମଧ୍ୟ ସତର୍କତା ଅବଲମ୍ବନ କରିଛି ପୋଲିସ ।