ଜିପ୍ ଲାଇନ୍ ଅପରେଟରକୁ ଏନଆଇଏ ପକ୍ଷରୁ ହାଜର ପାଇଁ ସମନ

ପହଲଗାମ୍ ଆତଙ୍କୀ ହମଲାକୁ ୭ ଦିନ ବିତି ସାରିଛି । ଏବେ ଆତଙ୍କୀ ଉପରେ ଆକ୍ସନ ନେବାକୁ ସରକାର ସଜ ହେଉଛନ୍ତି  । ଏତିକି ବେଳେ ଗତକାଲି ସାମ୍ନାକୁ ଆସିଥିବା ନୂଆ ଏକ ଭିଡିଓରେ ଆତଙ୍କୀଙ୍କ ନରସଂହାରର ସବୁ ସତ ସ୍ପଷ୍ଟ ହେଇଯାଉଛି । ପର୍ଯ୍ୟଟକ ଜଣଙ୍କ ଭିଡିଓ କରୁଥିଲେ ଆଉ ଗୁଳି ମାଡ ରେ ଜଣେ ପରେ ଜଣେ ଟଳି ଯାଉଥିଲେ । ରୋପ୍ ୱେର ମଜା ନେଉଥିବା ଅହମ୍ମଦାବାଦର ପର୍ଯ୍ୟଟକ ରିଷି ଭଟ୍ଟଙ୍କ କ୍ୟାମେରାରେ ସବୁ କିଛି କଏଦ ହେଉଥିଲା । ପହଲଗାମ୍ ହମଲା ପରେ ସେ ଯେତେବେଳେ ତାଙ୍କ ଭିଡିଓ ସବୁ ତନତନ କରି ଦେଖିଥିଲେ ସେତେବେଳେ ଏସବୁ ଛାତିଥରା ଦୃଶ୍ୟ ଭିଡିଓରେ ଦେଖିବାକୁ ପାଇଥିଲେ ।

ତେବେ ଭିଡିଓ କରିଥିବା ରିଷି ଇତିମଧ୍ୟରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯାହା ଆତଙ୍କୀ ହମଲାରେ ଖିଅକୁ ଧରେଇବାରେ ଗୋଟେ ରାସ୍ତା ଦେଖାଇଛି । ରିଷି ପହଲଗାମ୍ ହମଲା ପଛରେ ଜିପ୍ ଲାଇନ୍ ଅପରେଟରକୁ ସନ୍ଦେହ କରୁଛନ୍ତି ।  ତାହା ମଧ୍ୟ ସ୍ୱାଭାବିକ ଭିଡିଓରେ ସ୍ପଷ୍ଟ ଜଣାପଡିବା ସହ ରିଷିଙ୍କ କହିବାନୁସାରେ ଯେତେବେଳେ ତାଙ୍କ ସ୍ତ୍ରୀ  ଅବା ଅନ୍ୟ ପର୍ଯ୍ୟଟକଙ୍କୁ ଜିପ୍ ଲାଇନରେ ପାର୍ କରୁଥିଲେ ସେତେବେଳେ ସେ ମିନି ସୁଇଜରଲ୍ୟାଣ୍ଡ… ମିନି ସୁଇଜରଲ୍ୟାଣ୍ଡର ନାରା ଦେଉଥିଲା  । ମାତ୍ର ଯେତେବେଳେ ରିଷିଙ୍କୁ ଜିପ୍ ଲାଇନରେ ଝୁଲାଇ ପଠାଇଲା ସେତେବେଳେ ହିଁ ସେ ତିନି ଥର ଆଲ୍ଲା ହୋ ଆକବର… ଆଲ୍ଲା ହୋ ଆକବର… ଆଲ୍ଲା ହୋ ଆକବର… ନାରା ଦେଲା । ସେହି ସମୟରେ ହିଁ ତଳେ ବନ୍ଧୁକଧାରୀ ଆତଙ୍କୀମାନେ ଫାୟାରିଂ ଆରମ୍ଭ କରିଦେଇଥିଲେ  ।

ତେବେ ଭିଡିଓ ଦେଖି ଓ ସେଦିନର ଘଟଣାକୁ ମନେପକାଇ ପର୍ଯ୍ୟଟକ ଜଣଙ୍କ ଜିପ୍ ଲାଇନ୍ ଅପରେଟର ଉପରେ ସନ୍ଦେହ କରିଛନ୍ତି । ଆଉ ପ୍ରକାଶ କରିଛନ୍ତି ଯେ, ହୁଏ ତ ସେହି ଜିପ୍ ଲାଇନ୍ ଅପରେଟର ଘଟଣା ବାବଦରେ ଜାଣିଛି । ତାକୁ ପଚରାଉଚରା କରିବା ଦ୍ୱାରା ଅଧିକ ତଥ୍ୟ ମିଳିପାରେ । ଇତିମଧ୍ୟରେ ଉକ୍ତ ଜିପ୍ ଲାଇନ୍ ଅପରେଟରକୁ ଏନଆଇଏ ପକ୍ଷରୁ ହାଜର ପାଇଁ ସମନ ହୋଇଛି ।