ବ୍ୟୁରୋ-: ସୋମବାର ଦିନ ପର୍ତ୍ତୁଗାଲର ଐତିହାସିକ କାମାରା ମ୍ୟୁନିସିପାଲ୍ ଡି ଲିସବୋଆ (ସିଟି ହଲ୍) ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲିସବନ ସହରର “ସମ୍ମାନର ଚାବି” ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଲିସବନର ଅନେକ ବିଶିଷ୍ଟ ନାଗରିକ, କୂଟନୈତିକ ବାହିନୀ ଏବଂ ଭାରତୀୟ ଏବଂ ଭାରତ-ପର୍ତ୍ତୁଗୀଜ୍ ସମ୍ପ୍ରଦାୟର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଦୁଇ ଦିନିଆ ପର୍ତ୍ତୁଗାଲ ଗସ୍ତରେ ଥିବା ରାଷ୍ଟ୍ରପତିଙ୍କୁ କାମାରା ମ୍ୟୁନିସିପାଲ ଡି ଲିସବୋଆରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ତାଙ୍କୁ ‘ନୋବଲ ସାଲୁନ’କୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ‘ସିଟି କି ଅଫ ଅନର’ ପ୍ରଦାନ କରିବା ପାଇଁ ଏକ ସମାରୋହର ଆୟୋଜନ କରାଯାଇଥିଲା । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, “ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଶତାବ୍ଦୀ ଧରି ରହିଛି ଏବଂ ଏହା ଆମ ଦୈନନ୍ଦିନ ଜୀବନରେ ଏକ ଅଭୁଲା ଛାପ ଛାଡିଛି।” ୟୁରୋପୀୟ ୟୁନିଅନ ଏବଂ ଲୁସୋଫୋନ ଦେଶଗୁଡ଼ିକ ସହିତ ସମ୍ପର୍କ ବୃଦ୍ଧି କରିବାରେ ଭାରତର ଏକ ମୂଲ୍ୟବାନ ଅଂଶୀଦାର ହୋଇଥିବାରୁ ସେ ପର୍ତ୍ତୁଗାଲକୁ ପ୍ରଶଂସା କରି ଆହୁରି କହିଛନ୍ତି, “ଆମେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର, କରିବା ପାଇଁ କାମ କରୁଛୁ, ଯାହା ମାନବ-କୈନ୍ଦ୍ରିକ ଆଭିମୁଖ୍ୟ ସହିତ ଏକ ସମୃଦ୍ଧ, ଅନ୍ତର୍ଭୁକ୍ତ ଏବଂ ବିକଶିତ ସମାଜ ହେବ।”