ବ୍ୟୁରୋ-: ବନ୍ଧୁତାରେ ଲଗାଇଲା କଳଙ୍କ | ବନ୍ଧୁତାର ଆଢୁଆଳରେ ଖରାପ ସମ୍ପର୍କ ରଖିଲା ଆଉ ବ୍ଲାକମେଲ କଲା | ଉପାୟ ଶୂନ୍ୟ ହୋଇ ପୀଡିତ ଥାନାରେ ଅଭିଯୋଗ କଲା | ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟଯେ, ଗତ ୨୦୧୯ ମସିହାରୁ ଅଭିଯୋଗକାରିଣୀ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ଥିଲା । ବନ୍ଧୁତାର ଆଢୁଆଳରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ତାଙ୍କ ସହ ଖରାପ ସମ୍ପର୍କ ରଖିବା ଲାଗି ବାରମ୍ବାର ଚାପ ପକାଇ ଆସୁଥିଲେ । ପରେ ଅଭିଯୁକ୍ତ କୌଣସି ମତେ ଅଭିଯୋଗକାରିଣୀଙ୍କ ସହ ଖରାପ ସମ୍ପର୍କ ରଖିବାରେ ସକ୍ଷମ ହୋଇଥିବା ବେଳେ, ଅଭିଯୋଗକାରିଣୀଙ୍କ ଅଗୋଚରରେ କିଛି ଫଟୋ ଏବଂ ଭିଡିଓ ନିଜ ମୋବାଇଲ ଫୋନରେ ସଂଗ୍ରହ କରିନେଇଥିଲେ । ଏହା ବ୍ୟତୀତ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ହ୍ଵାଟ୍ସଆପ ଭିଡିଓ କଲ କରିବା ସମୟର କିଛି ଭିଡିଓ ଓ ଫଟୋକୁ ମଧ୍ୟ ନିଜ ମୋବାଇଲ ଫୋନରେ ସଂଗ୍ରହ କରିନେଇଥିଲେ । ଅଭିଯୁକ୍ତଙ୍କ ଏତାଦୃଶ ବ୍ୟବହାର ସମ୍ପର୍କରେ ଜାଣିବା ପରେ ଅଭିଯୋଗକାରିଣୀ ତାଙ୍କ ଠାରୁ ଦୂରେଇ ଯାଇଥିଲେ । ଏଥିରେ ଅଭିଯୁକ୍ତ ଜଣକ ପ୍ରତିଶୋଧ ପରାୟଣ ହୋଇ ବ୍ଲାକମେଲ କରିବା ଉଦ୍ଦେଶ୍ୟ ରଖି ଅଭିଯୋଗକାରିଣୀଙ୍କ ନାମରେ ଏକ ଫେକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ସେଥିରେ ଫଟୋ ଓ ଭିଡିଓ ସବୁକୁ ପୋଷ୍ଟ କରିଦେଇଥିଲେ । ଗତ ତା.୦୨.୦୪.୨୦୨୫ ରିଖ ଦିନ ଅଭିଯୋଗକାରିଣୀ ଏନେଇ ଜାଣିବାକୁ ପାଇଥିଲେ ଏବଂ ଆଇନଗତ ସହାୟତା ପାଇଁ ଥାନାର ଦ୍ଵାରସ୍ଥ ହୋଇଥିଲେ ।
ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଘାଟିକିଆ ଅଞ୍ଚଳରେ ଚଢଉ କରି ଅଭିଯୁକ୍ତଙ୍କୁ କାବୁ କରିବା ସହ ତାଙ୍କ ହେପାଜତରୁ ତାଙ୍କ ମୋବାଇଲ ଫୋନକୁ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।