ପରଲୋକରେ ଅଭିନେତା ମନୋଜ କୁମାର: ଶୋକ ପ୍ରକାଶ କଲେ ପ୍ରଧନମନ୍ତ୍ରୀ

ମୁମ୍ବାଇ:: ଆଉନାହାନ୍ତି ଅଭିନେତା ମନୋଜ କୁମାର । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିବା କୁହାଯାଉଛି । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଆଖି ବୁଜିଛନ୍ତି ଏହି ବର୍ଷିଆନ୍ କଳାକାର। ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ମନୋଜ ।

ସୂଚନା ଅନୁଯାୟୀ, ‘ମେରେ ଦେଶ କି ଧରତି’ ସଙ୍ଗୀତ ପାଇଁ ସେ ବେଶ ଜଣାଶୁଣା ଥିଲେ । ୧୯୯୨ରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଥିଲେ । ସମଗ୍ର ଦେଶରେ ଦେଶାତ୍ମବୋଧକ ଫିଲ୍ମ ପାଇଁ ଭାରତ କୁମାର ନାଁରେ ତାଙ୍କର ଅଧିକ ପରିଚିତି ରହିଥିଲା। ଖାସ୍ କରି, ସେ କ୍ରାନ୍ତି ଏବଂ ଉପକାର ଭଳି ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ଥିଲେ । ମନୋଜଙ୍କ ମୃତ୍ୟୁ ଖବର ପାଇବା ପରେ ଶୋକର ଛାୟା ଖେଳିଯାଇଛି ।୧୯୫୭ ମସିହାରେ ଫ୍ୟାସନ୍ ଫିଲ୍ମରୁ ଡେବ୍ୟୁ କରିଥିଲେ ମନୋଜ। ପରେ ପରେ ଷାଠିଏ ଓ ୭୦ ଦଶକରେ ଦେଇଥିଲେ ବହୁ ସୁପରହିଟ୍ ଫିଲ୍ମ। ଉପକାର ଫିଲ୍ମ ପାଇଁ ୧୯୬୭ ମସିହାରେ ତାଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର ମିଳିଥିଲା। ୧୯୬୪ରୁ ୧୯୮୦ ଥିଲା ମନୋଜ କୁମାରଙ୍କ ଏରା। ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ।

ସହୀଦ, ସୋର, ରୋଟି କପଡା ଔର ମକାନ, ପୁରବ ଔର ପଶ୍ଚିମ, ମେରା ନାମ ଜୋକର, ଦଶ ନମ୍ବରୀ, ସହିତ ଶହେରୁ ଅଧିକ ଫିଲ୍ମରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୋଷ୍ଟରେ ମନୋଜ କୁମାରଙ୍କ ସହ ଉଠାଇଥିବା ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି।

ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି: ମହାନ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ମନୋଜ କୁମାର ଜୀଙ୍କ ବିୟୋଗରେ ଗଭୀର ମର୍ମାହତ। ସେ ଭାରତୀୟ ସିନେମାର ଜଣେ ପ୍ରତୀକ ଥିଲେ। ତାଙ୍କର ଦେଶପ୍ରେମ ଉତ୍ସାହ ପାଇଁ ତାଙ୍କୁ ବିଶେଷ ଭାବରେ ମନେ ରଖାଯାଇଥିଲା। ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ଦେଶପ୍ରେମ ପ୍ରତିଫଳିତ ହେଉଥିଲା। ମନୋଜ ଜୀଙ୍କ କାର୍ଯ୍ୟ ଜାତୀୟ ଗର୍ବର ଭାବନା ଜାଗ୍ରତ କରିଛି। ଯାହା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେବ। ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରକୁ ମୋ ସମବେଦନା। ଓମ୍ ଶାନ୍ତି।