ନୂଆଦିଲ୍ଲୀ : ଗିରଫ ହେଲେ ଭାଇରାଲ୍ ଗର୍ଲ ମୋନାଲିସାଙ୍କୁ ଫିଲ୍ମ ଅଫର୍ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ର । ଦୁଷ୍କର୍ମ ମାମଲାରେ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପୋଲିସ । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଖାରଜ କରିବା ପରେ, ତାଙ୍କୁ ଦିଲ୍ଲୀର ନବି କରିମ ପୋଲିସ ଷ୍ଟେସନ ଗିରଫ କରିଥିଲା । ଅଭିଯୋଗ ହୋଇଛି ଯେ ସନୋଜ ମିଶ୍ର ଏକ ଛୋଟ ସହରର ହିରୋଇନ ହେବାକୁ ଚାହୁଁଥିବା ଝିଅକୁ ଅନେକ ଥର ଦୁଷ୍କର୍ମ କରିଥିଲେ ।
ପୀଡିତାଙ୍କ କହିବା ଅନୁଯାୟୀ, ସେ ୨୦୨୦ ମସିହାରେ ଟିକଟକ୍ ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ସନୋଜ ମିଶ୍ରଙ୍କୁ ଭେଟିଥିଲେ । ସେହି ସମୟରେ ସେ ଝାନ୍ସୀରେ ରହୁଥିଲେ । ଯାହାପରେ ନିର୍ଦ୍ଦେଶକ ତାଙ୍କୁ ଜୁନ୍ ୧୭, ୨୦୨୧ରେ ଫୋନ୍ କରି ଦେଖା ହେବାକୁ ଡାକିଥିଲେ ।
ପୀଡିତା ତାଙ୍କୁ ଭେଟିବାକୁ ମନା କରିଦେବାରୁ ଅଭିଯୁକ୍ତ ସନୋଜ ମିଶ୍ର ତାଙ୍କୁ ଧମକ ଦେଇଥିଲେ । ଏହା ପରେ ପୀଡିତା ଭୟରେ ତାଙ୍କୁ ଭେଟିବାକୁ ଯାଇଥିଲେ । ପରଦିନ ସନୋଜ ମିଶ୍ର ତାଙ୍କୁ ପୁଣି ଥରେ ଫୋନ୍ କରି ଧମକ ଦେଇ ରେଳ ଷ୍ଟେସନକୁ ଡାକିଥିଲେ । ଏହାପରେ ସନୋଜ ସେହି ଝିଅକୁ ଏକ ରିସର୍ଟକୁ ନେଇଯାଇଥିଲେ ଏବଂ ନିଶା ଦ୍ରବ୍ୟ ଦେବା ପରେ ଦୁଷ୍କର୍ମ କରିଥିଲେ ।
ପୀଡିତା ଏଫଆଇଆରରେ ଦର୍ଶାଇଛନ୍ତି ଯେ ସେ ତାଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ ତିଆରି କରିଥିଲେ ଏବଂ ପ୍ରତିବାଦ କଲେ ସେଗୁଡ଼ିକୁ ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଥିଲେ । ଏହା ପରେ ନିର୍ଦ୍ଦେଶକ ତାଙ୍କୁ ବିବାହ ପ୍ରତିଶୃତି ଦେଇ ଅନେକ ଥର ବିଭିନ୍ନ ସ୍ଥାନକୁ ଡାକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ଏହା ବ୍ୟତୀତ ନିଜ ଚଳଚ୍ଚିତ୍ରରେ କାମ ଦେବାର ପ୍ରତିଶ୍ରୁତି ଦେଇ ପ୍ରଲୋଭନ ମଧ୍ୟ ଦେଖାଇଥିଲେ ।