ଦୁର୍ନୀତିଖୋରଙ୍କ ବିରୋଧରେ ଆକ୍ସନ ନେବେ ମୋହନ ସରକାର

ଭୁବନେଶ୍ୱର: ଆକ୍ସନ ମୁଡରେ ରାଜ୍ୟ ସରକାର । ଦୁର୍ନୀତିଖୋରଙ୍କ ବିରୋଧରେ ଆକ୍ସନ ନେବେ ବିଜେପି ସରକାର । ଆଉ ଯେଉଁମାନେ ଦୁର୍ନୀତି କରୁଛନ୍ତି ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଥିବା ବେଳେ ସରକାରୀ ଅଧିକାରୀଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ନିଜ ଅଭିଭାଷଣରେ ସେ କହିଛନ୍ତି, ଗତ ସରକାର ସମୟରେ ନିମ୍ନମାନର ଭିତ୍ତିଭୂମି ନିର୍ମାଣ ହେଉଥିଲା। କେଉଁଠି ଗୋଟିଏ ବର୍ଷା ହେଲେ ରାସ୍ତା ଧୋଇ ହୋଇ ଯାଉଥିଲା ତ କେଉଁଠି ୫ଟି ସ୍କୁଲର ଚୁନ ବାହାରି ଯାଉଥିଲା। ଏହି ଦୁର୍ନୀତି ଟଙ୍କା କାହା ପାଖକୁ ଯାଉଥିଲା, କିଏ ନିର୍ବାଚନ ଲଢ଼ୁଥିଲା ତାହା ସମସ୍ତେ ଜାଣିଛନ୍ତି।
ନୂଆ ସରକାର ଆସିବା ପରେ ୬ ମୁଖ୍ୟ ଯନ୍ତ୍ରୀଙ୍କୁ ବାନ୍ଧିଛି ଭିଜିଲାନ୍ସ। ଏହି ମହାନୂଭବ ବ୍ୟକ୍ତିଙ୍କ ନିକଟରୁ ୨୩୩ଟି ପ୍ଲଟ, ୩୨ କୋଠା, ପ୍ରାୟ ୬ କେଜି ସୁନା ଜବତ ହୋଇଛି। ୧୦ କୋଟି ବ୍ୟାଙ୍କ ଡିପୋଜିଟ୍ ଓ ୨୧ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ଅନେକ ବଡ଼ବଡ଼ ଅଧିକାରୀ ଗିରଫ ହୋଇ ଜେଲ୍ରେ ଅଛନ୍ତି। ଏସବୁ ସାଧାରଣ ଲୋକଙ୍କ ଟଙ୍କା, ଯାହା ଏମାନଙ୍କ ପାଖରେ ଥିଲା। ଖାଲି ଏମାନେ ନୁହଁନ୍ତି ଯିଏ ଯିଏ ଦୁର୍ନୀତିରେ ସଂପୃକ୍ତ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ। ଅନେକ ଦୁର୍ନୀତିଖୋର ଭିଜିଲାନ୍ସ ଜାଲରେ ପଡ଼ନ୍ତିନି। ତେଣୁ ସେଭଳି ଅଧିକାରୀଙ୍କ ନିଦ ହଜାଇ ଦେବାକୁ ହେବ। ପ୍ରତି ମୁହୂର୍ତ୍ତରେ ସେମାନଙ୍କ ମନରେ ଗିରଫଦାରୀ ଭୟ ବସା ବାନ୍ଧି ରହିବା ଉଚିତ। ଏପରିକି, ସେମାନେ ବାଥରୁମରେ ଥିବା ବେଳେ, ଘରେ ରହୁଥିବା ବେଳେ ଗିରଫଦାରୀର ଭୟ ଯେମିତି ଘାରିବ ସେଭଳି କାର୍ୟ୍ୟ ଭିଜିଲାନ୍ସ କରୁ ବୋଲି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏଥିସହ ସେ କହିଛନ୍ତି, ସଭ୍ୟ ଜଗତରେ ଦୁର୍ନୀତି ହେଉଛି କର୍କଟ ରୋଗ ସଦୃଶ। ତେଣୁ କର୍କଟ ରୋଗ ହୋଇଥିବା ଶରୀରର ଅଂଶକୁ କାଟି ବାହାର କରିଦେବା ପରି ଉକ୍ତ ଦୁର୍ନୀତିଖୋର ଅଫିସରଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇବା ପାଇଁ କାମ ଆରମ୍ଭ ହୋଇଛି। ଯେଉଁମାନେ ଦୁର୍ନୀତି କରିଛନ୍ତି କାହାକୁ ବି କୌଣସି ପରିସ୍ଥିତିରେ ଛଡ଼ାଯିବନି ବୋଲି ସୂଚାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।