ଟ୍ରେନ ଲାଇନରେ ରିଲ୍ସ କରୁଥିବା ବେଳେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ବାଲେଶ୍ୱର / ଶରତ ନାୟକ: ରିଲସ ନିଶା ହେଲା କାଳ । ଟ୍ରେନ ଲାଇନରେ ରିଲ୍ସ କରୁଥିବା ବେଳେ ଟ୍ରେନ ଧକାରେ ଯୁବକଙ୍କ ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ରେଳ ଷ୍ଟେସନ ନିକଟରେ । ଜଣେ ଯୁବକ ଟ୍ରେନ ଲାଇନରେ ଇନଷ୍ଟାଗ୍ରାମରେ ରିଲ୍ସ କରୁଥିବା ବେଳେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ବାଲେଶ୍ୱର ସୋର ସବିରା ରେଳ ଷ୍ଟେସନ ନିକଟ ରେଳ ଧାରଣାରେ ଭଦ୍ରକ ଜିଲ୍ଲା ବାଣିତିଆ ଗ୍ରାମର ଅକ୍ଷୟ ପାତ୍ର ତାଙ୍କର ପାଞ୍ଚ ଜଣ ଅନ୍ୟ ସାଥୀଙ୍କ ସହିତ ରିଲ୍ସ କରୁଥିଲେ। କିନ୍ତୁ ଏହି ସମୟରେ ସେହି ଲାଇନରେ ଯାଉଥିବା ନୀଳାଚଳ ଏକ୍ସପ୍ରେସ ଟ୍ରେନ ଅକ୍ଷୟଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ସାଥୀ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଖବରପାଇ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ଜଣାପଡିଛି। ତେବେ ଅକ୍ଷୟଙ୍କ ସମେତ ଅନ୍ୟ ଯୁବକ ମାନେ ନିକଟରେ ପଡିଥିବା ଏକ ଯାତ୍ରା ଦଳର ନାଚ କଳାକାର ଭାବେ କାର୍ୟ୍ୟକରୁଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।