ସୀମା-ସଚ୍ଚିନ ପ୍ରେମ କାହାଣୀରେ ପଡ଼ିବ ପୂର୍ଣ୍ଣଛେଦ, ପାକିସ୍ତାନ ଫେରିବ ସୀମା

ନୂଆଦିଲ୍ଲୀ:  କିଛି ଦିନ ଧରି ସବୁ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତର ସଚ୍ଚିନଙ୍କ ପ୍ରେମ କାହାଣୀରେ ପଡିବ ଭଟ୍ଟା । ପାକିସ୍ତାନକୁ ଫେରିଯିବ ସୀମା ହାଇଦର । ସ୍ୱାମୀଙ୍କୁ ଛାଡି ନିଜର ୪ ପିଲାଙ୍କ ସହ ସୀମା ପାର କରି ବେନିୟମ ଭାବେ ଭାରତକୁ ଆସିଥିଲେ ସୀମା ହାଇଦର । ସେ ସଚିନଙ୍କ ପ୍ରେମରେ ପଡ଼ି ଭାରତ ଆସିଥିବା କଥା କହିଥିଲେ । ସଚ୍ଚିନ ମଧ୍ୟ ତାଙ୍କୁ ଗ୍ରହଣ କରିଥିଲେ ।

ଉଭୟଙ୍କ ମଧ୍ୟରେ ବିବାହ ହୋଇଥିଲା । ସଚ୍ଚିନଙ୍କୁ ନେଇ ଖୁସୀରେ ଥିଲେ ସୀମା । ସଚ୍ଚିନ ମଧ୍ୟ ସୀମାଙ୍କୁ ନେଇ କବିତା ଲେଖିଥିଲେ । ଉଭୟ ଉତ୍ତର ପ୍ରଦେଶର ଗ୍ରେଟର ନଏଡାରେ ରହୁଥିଲେ । ହେଲେ ଏହି ପ୍ରେମ କାହାଣୀରେ ଏବେ ଭଟ୍ଟା ପଡିବାକୁ ଯାଉଛି । ଉତ୍ତର ପ୍ରଦେଶ ଏଟିଏସ ଟିମ ଜେରା ପରେ ସୀମା ପାକିସ୍ତାନ ଗୁଇନ୍ଦା ବୋଲି ଅଭିଯୋଗ ହୋଇଛି । ଏହି ମାମଲା ଦୁଇ ଦେଶର ସୁରକ୍ଷାକୁ ନେଇ ଥିବାରୁ ସରକାର ଏଥିରେ ଶକ୍ତ ଭାବେ ତଦନ୍ତ କରୁଛନ୍ତି ।

ଗୁଇନ୍ଦା ଏଜେନ୍ସି ଅନୁଯାୟୀ ସୀମାଙ୍କୁ ଭାରତରେ ପ୍ରବେଶ କରିବା ପାଇଁ କେହି ୩ୟ ପକ୍ଷ ସହଯୋଗ କରିଥିବା ଜଣାଯାଇଛି । ସୀମାଙ୍କ ପରିଧାନ ଜଣେ ଗାଉଁଲି ଭାରତୀୟ ନାରୀ ବେଶରେ କରାଯାଇ ଭାରତରେ ପ୍ରବେଶ କରାଯାଇଛି । ସୁରକ୍ଷା ଏଜେନ୍ସିଙ୍କ ଠାରୁ ରକ୍ଷା ପାଇବା ପାଇଁ ନିଜର ପିଲାଙ୍କୁ ମଧ୍ୟ ଭାରତୀୟ ବେଶରେ ମେକଅପ୍ କରାଯାଇଥିଲା ।

ଗୁଇନ୍ଦା ସଂସ୍ଥା ରିପୋର୍ଟ ଅନୁଯାୟୀ ସୀମାଙ୍କ ଗତିବିଧି ଜଣେ ପାକ୍ ଏଜେନ୍ସି ଭାବେ ଜଣାପଡୁଛନ୍ତି । ତେଣୁ ଭାରତରେ କିଛି ବେନିୟମ କାର୍ୟ୍ୟ କରିବା ପାଇଁ ହୁଏତ ସୀମା ପାକିସ୍ତାନର ମୋହରା ହୋଇପାରେ ବୋଲି ଆଶଙ୍କା କରାଯାଇଛି । ଏଟିଏସର ତଦନ୍ତ ଜାରି ରହିଛି । ଖୁବ ଶୀଘ୍ର ସୀମାଙ୍କୁ ପାକିସ୍ତାନ ପଠାଯିବ ବୋଲି ଜଣାଯାଇଛି ।